• translate
Mihir Pattnayak

ଭୁବନେଶ୍ୱର: ପୁଣି ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗା ନବରଙ୍ଗପୁର ପୋଲିସ ହେପାଜତରେ ଜଣେ ଅଭିଯୁକ୍ତର ରହସ୍ୟଜନକ ମୃତ୍ୟୁ ପରେ ଏଭଳି ଅଭିଯୋଗ ଆସିଛି । କେବଳ ଏତିକି ନୁହେଁ, ପୋଲିସ ଘଟଣାକୁ ଘଣ୍ଟ ଘୋଡାଇବା ସହ ମୃତଦେହକୁ ହସ୍ତାନ୍ତର କରୁ ନ ଥିବା ମଧ୍ୟ ସଂଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଯାହାକୁ ନେଇ ଆଜି ଦିନ ତମାମ ଥାନା ପରିସରରେ ତୁମୁଳକାଣ୍ଡ ଦେଖିବାକୁ ମିଳିଥିବା ବେଳେ ମୃତଦେହ ହସ୍ତାନ୍ତର କରାଯାଇ ନ ଥିବାରୁ ଚାପା ଉତ୍ତେଜନା ଲାଗିରହିଥିଲା । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍ ।

ନବରଙ୍ଗପୁର ପୋଲିସ ହେପାଜତରେ ଥାର୍ଡ ଡିଗ୍ରୀ ପାଇଁ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ ଆଣି ସମ୍ପର୍କୀୟ ତୁମୁଳକାଣ୍ଡ ଘଟାଇଥିଲେ। ଟେକାପଥର ମାଡ଼ ସହ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ପରିସରରେ ଭଙ୍ଗାରୁଜା କରିଥିଲେ ଲୋକେ । ମୃତକ ବଡ଼ପଞ୍ଜାରିଆଗୁଡ଼ା ଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କୁ ପୋଲିସ ଥାନାକୁ ଆଣି ପିଟି ପିଟି ମାରିଦେଇଥିବା ସଂଗୀନ ଅଭିଯୋଗ ଲଗାଇଛନ୍ତି କୋଡିଙ୍ଗା ଥାନା ପୋଲିସ ବିରୋଧରେ।

ଗତକାଲି ଖୁଟିଗୁଡ଼ା ହାଟରେ କୁକୁଡା ଲଢ଼େଇ ଖେଳ ଚାଲିଥିବାବେଳେ ଗୋବର୍ଦ୍ଧନ ସହ ୨ ଜଣଙ୍କୁ ଉଠାଇ ଆଣିଥିଲା ପୋଲିସ। ପରେ ଗୋବର୍ଦ୍ଧନଙ୍କ ପତ୍ନୀ ଏବଂ ଝିଅକୁ ମଧ୍ୟ ପୋଲିସ ନେଇଆସିଥିଲା । ଏହାପରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ କାହିଁକି ଏସମ୍ପର୍କରେ କାହାକୁ ସୂଚନା ଦେଉନାହିଁ ବୋଲି ପ୍ରଶ୍ନ କରିବା ସହ ଗୋବର୍ଦ୍ଧନଙ୍କୁ  ମାରିଦେଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ ଓ ଗ୍ରାମବାସୀ ।

ଏନେଇ ଆଜି ସେମାନେ ଥାନା ଘେରାଓ କରାଯାଇଥିବା ବେଳେ ପୋଲିସ ଲାଠିଚାର୍ଜ କରି ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅନ୍ୟତମ ଅଭିଯୁକ୍ତ କମଳୁର କହିବା କଥା, ଉଭୟଙ୍କୁ ବିଭିନ୍ନ ଥାନାକୁ ନେଇ ପୋଲିସ ଶେଷରେ କୋଡିଙ୍ଗା ଥାନାରେ ରଖିଥିଲା । ଆଉ ଥାନା ଭିତରେ ପାଣି ମାଗିବାରୁ ପୋଲିସ ନିସ୍ତୁକ ମାଡ଼ ମାରିଥିଲା । ଏହାପରେ ଗୋବର୍ଦ୍ଧନଙ୍କୁ ପୋଲିସ କୁଆଡ଼େ ନେଲା ସେ ଜାଣିନାହାଁନ୍ତି ବୋଲି କହିଛନ୍ତି । ସେପଟେ ପୋଲିସ ହେପାଜତରେ ଗୋବର୍ଦ୍ଧନଙ୍କ ମୃତ୍ୟୁକୁ ସ୍ୱୀକାର କରିଛନ୍ତି ଅତିରିକ୍ତ ଏସ୍‌ପି। ସେ କହିବା କଥା, ଗୋବର୍ଦ୍ଧନ ଦେହ ଖରାପ ଲାଗୁଥିବା କହିବାରୁ ତାଙ୍କୁ କୋଷାଗୁମୁଡ଼ା ଡାକ୍ତରଖାନା ନିଆଯାଇଥିଲା। ପ୍ରଥମେ ନବରଙ୍ଗପୁର ଓ ପରେ ଭାଇଜାଗ୍ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଥାନା ହାଜତରେ ଗୋବର୍ଦ୍ଧନ କାହିଁକି ହଠାତ୍ ଗୁରୁତର ହୋଇପଡ଼ିଥିଲେ ? ପରିବାର ଲୋକଙ୍କୁ ନ ଜଣାଇ ଘଟଣାକୁ ଘଣ୍ଟ ଘୋଡାଇବା ଉଦ୍ଦେଶ୍ୟରେ ଗୋବର୍ଦ୍ଧନଙ୍କୁ ଆଗୁଆ ମେଡ଼ିକାଲରେ ଭର୍ତ୍ତି କରିଥିଲା କି ପୋଲିସ ? ଯଦି ନା ତେବେ କାହିଁକି ଏ ତୁମୁଳକାଣ୍ଡ ? ଏନେଇ ନାନା ପ୍ରଶ୍ନ ଉଠିଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍ ।

Other Stories