କୋଭିଡ୍ କଟକଣା ଭିତରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ: ବିଏମ୍‌ସି କମିଶନର

ଭୁବନେଶ୍ୱର: କରୋନା ଟିକାକରଣ ପରେ ଏବେ ମହାମାରୀ ହାରୁଛି।  କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଗତ ବର୍ଷ ପର୍ବପର୍ବାଣୀ ସମେତ ମେଳା ଓ ଉତ୍ସବ ଫିକା ପଡ଼ିଥିଲା। ମହାମାରୀର ପ୍ରକୋପ କମିବା ପରେ ଧିରେ ଧିରେ ସବୁ କିଛି ସ୍ୱାଭାବିକ ସ୍ଥିତିକୁ ଆସିଲାଣି। ବିଭିନ୍ନ ମେଳା ଓ ଉତ୍ସବ ଆୟୋଜନ କରିବା ପାଇଁ ସରକାର ଗ୍ରୀନ୍ ସିଗ୍‌ନାଲ ଦେଇଛନ୍ତି।  ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ତୋଷାଳୀ ମେଳା ଆରମ୍ଭ ହୋଇଥିଲା।

କିନ୍ତୁ ଚଳିତ ବର୍ଷ ଖଣ୍ଡଗିରି ମେଳାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ନିର୍ଦ୍ଧାରିତ ସ୍ଥାନରେ ଖଣ୍ଡଗିରି ମେଳା ହେବ କି ନାହିଁ ସେ ନେଇ ଏଯାଏ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ମେଳାରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବାକୁ ଥିବାବେଳେ ସେହି ସ୍ଥାନରେ କୋଭିଡ୍ କଟକଣା ଭିତରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ଯାତ୍ରା ହେଉଥିବା ସ୍ଥାନରେ ଜାତୀୟ ରାଜପଥ ର୍ନିମାଣ କାର୍ଯ୍ୟ ଚାଲିଛି। ତେଣୁ କୋଭିଡ୍ କଟକଣା ପାଳନ କରିବା ସମ୍ଭବ ହୋଇନପାରେ। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ ପୃଥକ ଭାବେ ଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏ ବାବଦରେ ଆଲୋଚନା କରି ଉଭୟଙ୍କ ପରାମର୍ଶ ନିଆଯାଇଛି। ଯାତ୍ରା ନେଇ ବିକଳ୍ପ ସ୍ଥାନ ଖୋଜା ଚାଲିଥିବା କହିଛନ୍ତି ବିଏମ୍‌ସି କମିଶନର ଆୟୋଜକଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କମିଶନର କହିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଆମେ କୌଣସି ପରିସ୍ଥିତିରେ ଉଲ୍ଲଂଘନ କରିପାରିବୁ ନାହିଁ। ଗାଇଡ୍‌ଲାଇନ୍‌ ସହ ଏହି ଉତ୍ସବ କରାଯାଇପାରିବ। ଖଣ୍ଡଗିରି ମେଳା ହେଉଥିବା ସ୍ଥାନରେ ଯାତ୍ରା ଆୟୋଜନ କରିବା ଅସମ୍ଭବ। ଏକଥା ଆୟୋଜକମାନେ ହିଁ କହୁଛନ୍ତି।
-ପ୍ରେମଚନ୍ଦ୍ର ଚୌଧୁରୀ, ବିଏମ୍‌ସି କମିଶନର 
You might also like