ପୋଲିସ ଚାକିରୀ କରି ଗୋଡ଼ ହରାଇଲେ, ଏବେ ସରକାରୀ ସାହାଯ୍ୟକୁ ଚାତକ ପରି ଅନାଇ ବସିଛନ୍ତି ନଟବର

ସାହାଯ୍ୟ ମାଗୁଛନ୍ତି ନଟବର

ସାହାଯ୍ୟ ମାଗୁଛନ୍ତି ନଟବର

ସହାୟତା ନମିଳିଲେ ଭାସିଯିବ ପରିବାର

ସୋର: ଦିନେ ଖାକି ପୋଷାକ ପିନ୍ଧି ଲୋକଙ୍କୁ ସୁରକ୍ଷା ଦେଉଥିଲେ, ଆଇନଶୃଙ୍ଖଳାକୁ ବି ସଜାଡୁ ଥିଲେ। ପୋଲିସ ଚାକିରୀ କରି ବେଶ ଖୁସିରେ ମଧ୍ୟ ଥିଲେ। ଚାକିରୀ କରି ଯେତିକି ଦରମା ମିଳୁଥିଲା ସେତିକି ଟଙ୍କାରେ ଦୁଃଖେ କଷ୍ଟେ ପରିବାର ଚଳୁଥିଲା। ଦରମା ଟଙ୍କାରେ ସ୍ୱାମୀ-ସ୍ତ୍ରୀଙ୍କ ସହ ପୁଅ ଆଉ ଝିଅ ଖାଇବା ପିଇବା ସହ ପାଠ ପଢାର ଖର୍ଚ୍ଚ ମଧ୍ୟ ଉଠୁଥିଲା। ସୁଃଖର ସଂସାରରେ ଘୋଟି ଆସିଛି ଦୁଃଖର କଳାବାଦଲ। ସରକାରୀ ଡ୍ୟୁଟି ବେଳେ ଟ୍ରେନରେ ଗୋଡ କଟିଯିବାରୁ ଏବେ ଭୋକ ଉପାସରେ ଅନ୍ୟର ସାହାଯ୍ୟକୁ ଅପେକ୍ଷା କରି ରହିଛନ୍ତି ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାର ତୁଣ୍ଡପଡା ଗ୍ରାମର ଗୃହରକ୍ଷୀ ନଟବର ନାୟକ। ଯିଏ ଦିନେ ଅନ୍ୟର କଥା ଶୁଣୁଥିଲେ ଆଜି ତାଙ୍କ କଥା କେହି ଶୁଣୁନାହାନ୍ତି।

ପେସା ଥିଲା ପୋଲିସ ଚାକିରୀ। ସୋର ଥାନାରେ ୧୯୮୯ ମସିହାରୁ ଗୃହରକ୍ଷୀ ଭାବରେ କାର୍ଯ୍ୟ କରିଆସୁଥିଲେ। ଚାକିରୀରୁ ଯେତିକି ପାରିଶ୍ରମିକ ଟଙ୍କା ମିଳୁଥିଲା ସେତିକି ଟଙ୍କାରେ ଚଳୁଥିଲା ୪ ପ୍ରାଣୀ ପରିବାର। ପୋଲିସ ଚାକିରୀ କରିବାର ୩୦ ବର୍ଷ ପରେ ଯେମିତି ନଟବରଙ୍କ ସୁଖ ସଂସାର ଉପରେ କାହାର ଦୃଷ୍ଟି ପଡିଗଲା।

୨୦୧୯ ମସିହା ଫେବୃଆରୀ ୧୩ ତାରିଖ ଦିନ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କର ଏକ ନିର୍ବାଚନୀ ସଭା ଥିବା ବେଳେ ସୋର ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ନଟବର ବାଲେଶ୍ୱର ଡ୍ୟୁଟି କରିବାକୁ ଏକ ଲୋକାଲ ଟ୍ରେନରେ ଯାଉଥିଲେ। ନୀଳଗିରି ରୋଡ଼ ଷ୍ଟେସନ ନିକଟରେ ନଟବରଙ୍କୁ ଶୋଷ ହେବାରୁ ଟ୍ରେନରୁ ଓହ୍ଲାଇ ପ୍ଲାଟଫର୍ମରୁ ପାଣି ନେଇ ଟ୍ରେନକୁ ଚଢ଼ୁଥିବା ବେଳେ ଗୋଡ଼ ଖସି ଯିବାରୁ ଟ୍ରେନ ତାଙ୍କ ଦୁଇ ଗୋଡ଼ ଉପରେ ଚଢି ଯାଇଥିଲା, ଆଉ ସାଙ୍ଗେ ସାଙ୍ଗେ ଟ୍ରେନ ଯାତ୍ରୀ ମାନେ ତାଙ୍କୁ ବାଲେଶ୍ୱର ଏବଂ ପରେ ପରେ କଟକ ସ୍ଥାନାନ୍ତର କରିଥିଲେ।

କିନ୍ତୁ ଏତିକିରେ ନଟବରଙ୍କର ଦୁଃଖ ସରିନଥିଲା। ସ୍ତ୍ରୀ ଙ୍କ ଗହଣା ଏବଂ ଯାହା ଜମିବାଡ଼ି ଥିଲା ତାହା ବିକ୍ରି କରି ଭଲ ହୋଇଥିଲେ ସତ କିନ୍ତୁ ସବୁଦିନ ଲାଗି ୨ ଗୋଡକୁ ହରାଇ ବସିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ସହାୟତା ମିଳିଥିଲା ସତ କିନ୍ତୁ ତାଙ୍କ ଚିକିତ୍ସାରେ ପ୍ରାୟ ୭ ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏତେ ଗୁଡାଏ ଟଙ୍କା ଖର୍ଚ୍ଚ କରିବା ପରେ ଆଉ ନଟବରଙ୍କ ପାଖରେ କାଣି କୋଉଡି ଟିଏ ବି ନାହିଁ। ଟଙ୍କା ଅଭାବରୁ ଅଧାରୁ ହିଁ ପାଠ ଛାଡିଛନ୍ତି ୨ ପିଲା।

ଟଙ୍କା ଅଭାବରୁ ଭୋକ ଉପାସରେ କଟୁଛି ଦିନ।ଆଉ ଏହି ଘରକୁ ଥରେ ଭଲରେ ଦେଖନ୍ତୁ…ପଲିଥିନି ପକା ଝାଟିମାଟି ଘରେ କେମିତି ରହୁଛନ୍ତି ନଟବର? ଘର ଭିତପେ କୁଢ କୁଢ ମୂଷାମାଟି ଆଉ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। କିନ୍ତୁ ଉପାୟଶୂନ୍ୟ ହୋଇ ଅନ୍ୟ ଘରେ ଏବେ ଆଶ୍ରୟ ନେଇଛନ୍ତି ସେ। ତେବେ ନିଜର ୨ ଗୋଡ ହରାଇ ଏବେ ସରକାରୀ ଅପେକ୍ଷାକୁ ଚାହିଁ ରହିଛନ୍ତି ନଟବର।

ଗୋଟେ ପଟେ ଘର ନ ଥିବା ବେଳେ ନଟବର ଅନ୍ୟଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି। ଅନ୍ୟପଟେ, ପଲିଥିନ ଟଣା ଭଙ୍ଗା ଘରେ ମା ଦୁଇଟି ପିଲାଙ୍କୁ ଧରି ରହୁଥିବା ବେଳେ ସରକାରୀ ସହାୟତା କୁ ଚାହିଁ ବସିଛନ୍ତି। ଆଉ ଦୁର୍ଘଟଣା ପରଠାରୁ ସୋର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ନଟବରକୁ ଥାନା ପକ୍ଷରୁ ମଧ୍ୟ କୌଣସି ସହାୟତା ମିଳିନଥିବା ବେଳେ ଦୁଇ ବର୍ଷ ହେଲା ଦରମା ନ ପାଇ ଦୁର୍ଦ୍ଦିନ ରେ ଦିନ କାଟୁଛନ୍ତି ପରିବାର। ତେବେ ଦେଖିବାକୁ ବାକି ରହିଲା କେବେ ନଟବରଙ୍କୁ ମିଳୁଛି ସରକାରୀ ସାହାଯ୍ୟ।

You might also like