ଫୋନିର ମୁକାବିଲା ପାଇଁ ଫୋକସ୍‌ରେ ରେସ୍କ୍ୟୁ ଅପରେସନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନିର ମୁକାବିଲା ପାଇଁ ମହା ତୟାରୀ। ସବୁଠୁ ଅଧିକ ଫୋକସ୍ ରେସ୍କ୍ୟୁ ଅପରେସନ୍। ସେଇଥିପାଇଁ ବିପତ୍ତି ଆସିବା ପୂର୍ବରୁ ଫୋନି ଫଣାରୁ ଧନ ଜୀବନକୁ ସୁରକ୍ଷିତ ରଖିବାକୁ ଜଳ, ସ୍ଥଳ, ଆକାଶ ସବୁଠି ସଜାଗ ସବୁ ଏଜେନ୍ସୀ। ଏନ୍‌ଡିଆର୍‌ଏଫ୍‌ ଠାରୁ ନେଇ ଓଡ୍ରାଫ୍, ଫାୟାର ସର୍ଭିସ୍, ଇଣ୍ଡିଆନ୍ କୋଷ୍ଟଗାର୍ଡ, ନେଭି।

ଗ୍ରାଉଣ୍ଡ ଜିରୋରେ ପୋଜିସନ୍‌ରେ ଏସବୁ ଟିମ୍‌ର ସଦସ୍ୟ। ସମସ୍ତଙ୍କ ଆଖି ଫୋନି ଲ୍ୟାଣ୍ଡଫଲ୍ କରିବାକୁ ଥିବା ପୁରୀ ଜିଲ୍ଲା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ। କାରଣ ସ୍ଥଳଭାଗରେ ମାଡ଼ ହେବା ପରେ ଏଇଠି ତାଣ୍ଡବ ରଚିପାରେ ଅତି ଭୀଷଣ ରୂପ ଧରି ମାଡ଼ି ଆସୁଥିବା ଫୋନି।

ପୁରୀ କୋଣାର୍କ ଅଞ୍ଚଳରେ ସବୁ ପ୍ରକାର ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ଲାଇଫ୍ ବୋଟ୍ ପ୍ରସ୍ତୁତ। ଲାଇଫ୍ ବୟ, ଜେନ୍‌ସେଟ୍ ଓ କଟର୍ ଭଳି ସାଜ ସରଞ୍ଜାମ ସହ ସଜ ହୋଇଛନ୍ତି ଫାୟାର ସର୍ଭିସ୍‌ର ସୁଦକ୍ଷ ଟିମ୍। କେବଳ ପୁରୀ ଜିଲ୍ଲାରେ ଏଇଭଳି ୩୯ଟି ଟିମ୍ ସହ ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲାରେ ମୁତୟନ ଅଛନ୍ତି ମୋଟ୍ ୫୨୫ ଟିମ୍।

ଗ୍ରାଉଣ୍ଡରେ ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ତୟାରୀ। ପୁରୀ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ସମେତ ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲାରେ ଏପର୍ଯ୍ୟନ୍ତ ଏନ୍‌ଡିଆର୍‌ଏଫ୍‌ର ମୋଟ୍ ୨୫ଟି ଟିମ୍ ମୁତୟନ ଥିବା ବେଳେ ଷ୍ଟାଣ୍ଡବାଏ ମୋଡ୍‌ରେ ଅଛନ୍ତି ଆଉ ୩ଟି ଟିମ୍। ସେହିପରି ୧୮ଟି ଓଡ୍ରାଫ୍ ଟିମ୍‌କୁ ବାତ୍ୟା ପାଇଁ ମୁତୟନ କରାଯାଇ ସାରିଥିବା ବେଳେ ଆବଶ୍ୟକ ସ୍ଥଳେ ଆଉ ଦୁଇଟି ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି।

ଉଦ୍ଧାର କାର୍ଯ୍ୟ ପାଇଁ ନୌସେନା ଓ ତଟରକ୍ଷୀ ବାହିନୀ ବି ପ୍ରସ୍ତୁତ। ତୟାରୀ ଏମିତି ଯେ ସମୁଦ୍ର ଭିତରେ ବାତ୍ୟାକୁ ଅନୁଧାବନ କରୁଛି ନ୍ୟାଭିର ୩ଟି ସିପ୍। ବାତ୍ୟାର ଠିକ୍ ପଛେ ପଛେ ରହି ସ୍ଥଳଭାଗରେ ଫୋନି ଯେଉଁଠି ମାଡ଼ ହେବ ସଙ୍ଗେ ସଙ୍ଗେ ସୂଚନା ଦେବା ସହ ତୁରନ୍ତ ରିଲିଫ୍ ଓ ରେସ୍କ୍ୟୁ ଅପରେସନ୍‌ରେ ଲାଗିପଡ଼ିବେ ଏଇ ତିନିଟି ସିପ୍‌ରେ ଥିବା ନେଭି କର୍ମଚାରୀ। ଏଥିସହ  ବିଶାଖାପଟନାମ୍‌ରେ ୭ଟି ହେଲିକପ୍ଟର, ଡୋନିୟର ଭଳି ୬ଟି ଏୟାରକ୍ରାଫ୍ଟ ମଧ୍ୟ ରିଲିଫ୍, ରେସ୍କ୍ୟୁ ଅପରେସନ୍ ପାଇଁ ପ୍ରସ୍ତୁତ ରହିଛି। ଚେନ୍ନାଇରୁ ୪ଟି ସିପ୍‌ରେ ଅବଶ୍ୟ ରିଲିଫ୍ ସାମଗ୍ରୀ ଅଣାଯାଉଥିବା ନେଭି ପକ୍ଷକୁ କୁହାଯାଇଛି।

ସେହିପରି ଏନ୍‌ଡିଏମ୍ଏର ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ୨ଟି ହେଲିକପ୍ଟର ମହଜୁଦ ରଖିବାକୁ ନିଷ୍ପତ୍ତି ହୋଇଛି। ସହାୟତା ପାଇଁ ସ୍ଥଳସେନା ମଧ୍ୟ ଜାଗତିଆର ଅଛନ୍ତି। ଆର୍ମିର ଗୋଟିଏ ୟୁନିଟ ଭୁବନେଶ୍ୱରରେ, ଅନ୍ୟଟି ରାଞ୍ଚିରେ ରହିଛି। ଗଭୀର ସମୁଦ୍ରରୁ କୋଷ୍ଟଗାର୍ଡର କର୍ମଚାରୀ ମତ୍ସ୍ୟବୀଜୀଙ୍କୁ କୂଳ ଆଣିବାର ଅପରେସନ୍ ସାରିଛନ୍ତି।

କେବଳ ସେତିକି ନୁହେଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ୩୦୨ଟି ରାପିଡ୍ ରେସ୍‌ପନ୍ସ ଟିମ୍ ନିୟୋଜିତ କରାଯାଇଛି। ଯେଉଁଥିରେ ଜଣେ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ ରହିବେ। ଏଥିସହ ବିଦ୍ୟୁତ୍ ସେବା ପାଇଁ ଶକ୍ତି ବିଭାଗ ପକ୍ଷରୁ ୫ ଶହ ଗ୍ୟାଙ୍ଗ ମୁତୟନ କରାଯାଇଛି।

You might also like