କ୍ରମାଗତ ତୃତୀୟ ଦିନ ଓଡ଼ିଶାରେ ପେଟ୍ରୋଲ ଠାରୁ ଡିଜେଲ ମହଙ୍ଗା

ଭୁବନେଶ୍ୱର : ଓଡିଶାରେ ଡିଜେଲ ଦର ପେଟ୍ରୋଲ ତୁଳନାରେ ଅଧିକ କାହିଁକି? ଏହି ପ୍ରଶ୍ନକୁ ନେଇ ଏବେ ଆଲୋଚନା । ପେଟ୍ରୋଲିୟମ୍ ଡିଲର୍ ଅାସୋସିଏସେନ୍ ଏହା ପଛରେ ରାଜ୍ୟ ସରକାର ନେଉଥିବା ୨୬ ପ୍ରତିଶତ ଭାଟ୍‌କୁ ଦାୟୀ କରୁଥିବା ବେଳେ ରାଜ୍ୟ ଅର୍ଥ ମନ୍ତ୍ରୀ ପେଟ୍ରୋଲ ତୁଳନାରେ ଡିଜେଲ୍‌ର ବେସ୍ ପ୍ରାଇସ୍ ଅଧିକ ଥିବା କହି କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି।

୩ କିଲୋମିଟରେ ୩ ଟଙ୍କାର ଫରକ । ଅାଉ ଇଏ ହେଉଛି ତାର ପ୍ରଭାବ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଜାତୀୟ ରାଜପଥ କଡ଼ରେ ଥିବା ଗାୟତ୍ରୀ ପେଟ୍ରୋଲ ପମ୍ପ ଖାଁ ଖାଁ , କିନ୍ତୁ ଏହାଠାରୁ କିନ୍ତୁ ୩ କିଲୋମିଟର ଦୂର ପଶ୍ଚିମବଙ୍ଗ ସୁନାକଣିଅା ଟାଙ୍କିରେ ଡିଜେଲ ଭରିବାକୁ ଭିଡ଼। କାରଣ ଜଳେଶ୍ୱରରେ ଡିଜେଲ୍ ୮୦ ଟଙ୍କା ୫୩ ପଇସା ଥିବା ବେଳେ ପଶ୍ଚିମବଙ୍ଗରେ ଦର ରହିଛି ୭୭ ଟଙ୍କା ୨୪ ପଇସା ଅର୍ଥାତ୍ ଓଡ଼ିଶା ତୁଳନାରେ ୩ ଟଙ୍କା ୨୯ ପଇସା କମ୍ ।

କେବଳ ପଶ୍ଚିମବଙ୍ଗ ନୁହେଁ, ଅନ୍ୟ ପଡୋଶୀ ରାଜ୍ୟରେ ଡିଜେଲ୍ ଦର କମ୍ ଥିବାରୁ ଓଡିଶାର ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପରେ ବେପାର ଚୌପଟ୍ । ବିକ୍ରି ୫୦ ପ୍ରତିଶତ କମିଯାଇଥିବା ଉତ୍କଳ ପେଟ୍ରୋଲିୟମ୍ ଡିଲର୍‌ସ ଅାସୋସିଏସନ କହିଛି।

ତେବେ ଦିଲ୍ଲୀ ସରକାର ଭାଟ ନକମାଇବା ପ୍ରତିବାଦରେ ସେଠାକାର ପେଟ୍ରୋଲ ପମ୍ପ ମାଲିକ ୪ ଶହ ପେଟ୍ରୋଲ୍ ପମ୍ପ ବନ୍ଦ କରି ଧର୍ମଘଟ କରିଥିବା ବେଳେ ଓଡ଼ିଶା ପେଟ୍ରୋଲିୟମ୍ ସଂଘ ସରକାରଙ୍କୁ ଦାବିପତ୍ର ଦେବା ପାଇଁ ପ୍ରସ୍ତୁତ ହେଉଛି।

ଏପଟେ କ୍ରମାଗତ ତୃତୀୟ ଦିନ ଭୁବନେଶ୍ୱରରେ ଡିଜେଲ ଦର ପେଟ୍ରେ୍ାଲ ଠାରୁ ଅଧିକ ରହିଛି। ପେଟ୍ରୋଲ ୮୦ ଟଙ୍କା ୩୬ ପଇସା ଥିବା ବେଳେ ଡିଜେଲ୍ ୧୩ ପଇସା ଅଧିକା ଅର୍ଥାତ୍  ଲିଟର ପିଛା ୮୦ଟଙ୍କା ୪୯ ପଇସା ରହିଛି। ସେପଟେ ପେଟ୍ରୋଲ ଓ ଡିଜେଲ୍‌ର ମୂଳ ଦର ସଂପର୍କରେ ତଥ୍ୟ ରଖି ଅାଜି ପୁଣି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ପେଟ୍ରୋଲର ବେସ୍ ପ୍ରାଇସ୍ ଠାରୁ  ଡିଜେଲ୍‌ର ବେସ୍ ପ୍ରାଇସ୍‌ ୫ଟଙ୍କା ୧୩ ପଇସା ଅଧିକ ଥିବା ସେ କହିଛନ୍ତି ।

ତେବେ ରାଜ୍ୟ ସରକାର ଡିଜେଲ୍ ଉପରେ ନେଉଥିବା ୨୬ ପ୍ରତିଶତ ଭାଟ୍ କମାନ୍ତୁ ବୋଲି ବିଜେପି ଦାବି କରିଛି। କେବଳ ଓଡ଼ିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଡିଜେଲର ବେସ୍ ପ୍ରାଇସ୍‌ ପେଟ୍ରୋଲ ଠାରୁ ଅଧିକ ରହିଛି।  ତେବେ ଏସବୁ ରାଜ୍ୟରେ ଡିଜେଲ ଦର ପେଟ୍ରୋଲ ଠାରୁ କମ୍ ରହିଛି। ତେଣୁ ଓଡ଼ିଶାରେ ଡିଜେଲ ଦରକୁ ନେଇ କାହା ଯୁକ୍ତି ଠିକ୍, ତାକୁ ନେଇ ଉଠିଛି ପ୍ରଶ୍ନ।

You might also like
Comments
Loading...