ଆୟୁଷ୍ମାନଙ୍କ ଡାଏରୀରୁ ମିଳିଲା ହୃଦୟସ୍ପର୍ଶୀ ଲେଖା

ଭୁବନେଶ୍ୱର : ଏସିପି ସଞ୍ଜୀବ ଶତପଥୀଙ୍କ ୧୨ ବର୍ଷର ପୁଅ ଆୟୁଷ୍ମାନର ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଛି। ମୃତ୍ୟୁର ଦୁଇ ଦିନ ପରେ ଆୟୁଷ୍ମାନଙ୍କ ଡାଏରୀରୁ ସେ ନିଜ ପରିବାର ସମ୍ପର୍କରେ ଲେଖିଥିବା ଏପରି କିଛି ହୃଦୟସ୍ପର୍ଶୀ ବାର୍ତ୍ତା ମିଳିଛି, ଯାହା ତାଙ୍କ ଶୋକ ସନ୍ତପ୍ତ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ଆଶ୍ଚର୍ଯ୍ୟ କରିଛି।

ମୋ ମା ଦୁନିଆର ସବୁଠୁ ସୁନ୍ଦରୀ ମହିଳା, ଯିଏ ମୋତେ ସବୁଠୁ ଅଧିକ ଭଲ ପାଆନ୍ତି। ମୋ ବାପା ରିଅଲ୍ ସିଂଙ୍ଘମ୍,ସବୁଠାରୁ ହାଣ୍ଡସମ୍ ଓ ପ୍ରେରଣାର ବିଶାଳ ଉତ୍ସ। ମୋ ଭଉଣୀ ମୋତେ କେବେ ବି ଏକୁଟିଆ ହେବାକୁ ଦିଏନି, ଆଉ ମୁଁ ଯାହାକୁ ବିବାହ କରିବି, ସେ କେତେ ସୁନ୍ଦର ତାହା ମୋତେ ଜଣା ନାହିଁ।

ନିଜ ପାଇଁ ୪ଟି ଆଶ୍ଚର୍ଯ୍ୟ ବୋଲି ଇଂରାଜୀ ଭାଷାରେ ଏ ସୁନ୍ଦର ପଂକ୍ତି ଲେଖିଛନ୍ତି ଦୁଇ ଦିନ ତଳେ ଆତ୍ମହତ୍ୟା କରିଥିବା କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଏସିପି ସଂଜୀବ ଶତପଥୀଙ୍କ ୧୨ ବର୍ଷର ପୁଅ ଆୟୁଷ୍ମାନ୍।

ଏ ଯାଏ ପୁଅ ଆତ୍ମହତ୍ୟା ପଛର କାରଣ ଖୋଜି ପାଉନଥିବା ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଆୟୁଷ୍ମାନଙ୍କ ଡାଏରୀରୁ ପାଇଛନ୍ତି ଏଭଳି ହୃଦୟସ୍ପର୍ଶୀ ଲେଖା। ଆୟୁଷ୍ମାନଙ୍କ ବାପା ସଞ୍ଜୀବ ଶତପଥୀ ଏ କଥା କିଛି ସହଯୋଗୀ ଓ ପରିଜନଙ୍କୁ କହିବା ପରେ ତାହା ଗଣମାଧ୍ୟମକୁ ଆସିଛି।

ଏଠାରେ ପ୍ରଶ୍ନ ଉଠୁଛି ନିଜ ପରିବାରକୁ ଏତେ ନିବିଡ଼ ଭଲ ପାଉଥିବା କୋମଳମତି ଆୟୁଷ୍ମାନକୁ ଆତ୍ମହତ୍ୟା ପାଇଁ କେଉଁ କାରଣ ବାଧ୍ୟ କଲା? ବାପା, ମା ଓ ଭଉଣୀର ଅଜସ୍ର ସ୍ନେହ ବନ୍ଧନରେ ଥାଇ ବି କଣ ପାଇଁ ନେଲା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ? ମୋବାଇଲ ଫୋନ୍‌ରେ ଖେଳୁଥିବା ବେଳେ ମା’ଙ୍କ ତାଗିଦ୍‌ରୁ ଅଭିମାନ ନା ମାରାତ୍ମକ ମୋବାଇଲ ଗେମ୍‌ର ପ୍ରଭାବ? ତାହା ଏବେ ବି ସମସ୍ତଙ୍କୁ ସନ୍ଦେହରେ ରଖିଛି।

ଏପଟେ ଆୟୁଷ୍ମାନର ମୃତ୍ୟୁ ଦୁର୍ଘଟଣାଜନିତ ଏବଂ ଏହା ପଛରେ ଆଉ କୌଣସି କାରଣ ନଥିବାରୁ ଏହାକୁ ନେଇ କୌଣସି ଭୁଲ ତଥ୍ୟ ପ୍ରଚାର ନକରିବାକୁ ସୋଶାଲ ମିଡିଆରେ ନିବେଦନ କରିଛନ୍ତି ଆୟୁଷ୍ମାନଙ୍କ ବାପା।

ସପ୍ତମ ଶ୍ରେଣୀର ପାଠ ପଢୁଥିବା ଜଣେ ଛାତ୍ର ନିଜ ଭିତରେ ଏଭଳି ଭାବାବେଗ ରଖୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ଏହା କଣ ଆତ୍ମହତ୍ୟା ନା ଦୁର୍ଘଟଣା, ଯାହା ଏବେ ବି ରହସ୍ୟ ଭିତରେ ରହିଛି।

You might also like