କାଳିଆକୁ ତଣ୍ଟିଚିପି କୂଅରେ ଫିଙ୍ଗିଦେଲେ ପଡୋଶୀ ମହିଳା

ଢେଙ୍କାନାଳ: ଢେଙ୍କାନାଳ ନିହଲପ୍ରସାଦ ଥାନା ଅଞ୍ଚଳରୁ ଦୁଇଦିନ ହେଲେ ନିଖୋଜ ତିନି ବର୍ଷର ପୁଅ କାଳିଆର ମୃତ ଦେହକୁ ପୋଲିସ ଉଦ୍ଧାର କରିଛି ।  ଏକ କୂଅ ଭିତରୁ ମିଳିଛି ପୁଅର ମୃତେଦହ। ପଡୋଶୀ ଘର ଲୋକେ  ତଣ୍ଟି ଚିପି ଶିଶୁକୁ ହତ୍ୟା କରିବା ପରେ  ତାକୁ ଦେଇଥିଲେ ଦୁର୍ଘଟଣାର ରୂପ। ଏପରି କିଛି ଚାଞ୍ଚଲ୍ୟକର ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦାଫାସ୍ କରିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ପୋଲିସ୍।

ଗତକାଲି ଗାଁର ଏକ କୂଅ ଭିତରୁ ୩ ବର୍ଷର ଶିଶୁ ପୁତ୍ର କାଳିଆର ମୃତଦେହ ମିଳିଥିଲା। ମାମଲାର ଛାନଭିନ୍‌ ପରେ ପଡ଼ୋଶୀ ଘର ମହିଳାଙ୍କୁ ଗିରଫ କରିଥିଲା  ପୋଲିସ୍। ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ମହିଳାଙ୍କ ସହ କାଳିଆର ପରିବାରଲୋକଙ୍କ ପୂର୍ବରୁ କଳହ ଥିଲା।  ଯାହାକୁ ନେଇ ସଂପୃକ୍ତ ମହିଳା ଜଣକ କାଳିଆକୁ ଘର ସମ୍ମୁଖରୁ ଉଠାଇ ନେଇ ହତ୍ୟା କରିଥିଲେ।

ଏସମ୍ପର୍କରେ ପଚରାଉଚରା ବେଳେ ମହିଳା ଜଣକ ସ୍ୱୀକାର କରିଥିବା ପୋଲିସ୍ କହିଛି। ପ୍ରଥମେ କାଳିଆକୁ ତଣ୍ଚିଚିପି ହତ୍ୟା କରିବା ପରେ କୂଅରେ ଫୋପାଡ଼ି ଦେଇଥିବା ପୋଲିସ୍ କହିଛି।   ଦଫା ୩୦୨ ଓ ୨୦୧ରେ ମାମଲା ରୁଜୁ କରି ଅଭୁଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

You might also like