କୃଷକ ସମାବେଶର ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନବାଣ
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଓଡ଼ିଶାରେ ବିଜେପିର କୃଷକ ମନେଇବ ଅଭିଯାନ ଚାଲିଛି। ବିଜେପି ନେତାମାନେ ନୂଆ କୃଷି ଆଇନ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଉଛନ୍ତି। ଏଥିପାଇଁ ଢେଙ୍କାନାଳରେ ବିଜେପିର ବିଶାଳ କୃଷକ ସମାବେଶର ଆୟୋଜନ କରିଛି। ମିନି ଷ୍ଟାଡିୟମ୍ରେ ଚାଲିଥିବା ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀମାନଙ୍କୁ କୃଷି ଆଇନ୍ ସମ୍ପର୍କରେ ଅବଗତ କରିଛନ୍ତି।
ସେ କହିଛନ୍ତି ଯେ ଚାଷୀଙ୍କୁ ଆତ୍ମନିର୍ଭର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯୋଜନା ଆରମ୍ଭ କରିସାରିଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନୂଆ କୃଷି ଆଇନରେ ଚାଷୀଙ୍କ ଲାଭ ବଢ଼ିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କ ମନରେ ଅଯଥା ଡର ଓ ଭ୍ରମ ତିଆରି କରାଯାଉଛି। ଚାଷୀଙ୍କ ଜମି ବଡ଼ କମ୍ପାନୀ କିଣିନେବେ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଉଠାଇ ଦିଆଯିବ ବୋଲି ଭ୍ରମିତ କରାଯାଉଛି ବୋଲି କୃଷକଙ୍କୁ ବୁଝାଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ଏହି ଅବସରରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। କେନ୍ଦ୍ର ଟଙ୍କା ଦେଲେ ବି ଦଳୀୟ ଆଧାରରେ ଟଙ୍କା ବଣ୍ଟା ହେଉଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର। ଏଠି ରାଜ୍ୟ ସରକାର ମିଲରମାନଙ୍କ ସହ ମଧୁଚନ୍ଦ୍ରିକାରେ ମାତିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏନେଇ ବିଜେଡି ଓ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।
ନାବାଳିକା ପ୍ରସଙ୍ଗରେ ବର୍ଷିଲେ ଧର୍ମେନ୍ଦ୍ର
ଯଦୁପୁର ନାବାଳିକା ପ୍ରସଙ୍ଗରେ ଢେଙ୍କାନାଳ କୃଷକ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ନାବାଳିକାର ମାଆ କାନ୍ଦୁଛି, ଆପଣ କଣ କଲେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ତା ସହିତ ଆପଣଙ୍କ ମନ୍ତ୍ରିମଣ୍ଡଳର ପ୍ରଭାବଶାଳୀ ଲୋକ ସାମିଲ ଥିବା ଅଭିଯୋଗ ହେଉଛି ବୋଲି ନବୀନଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।
ରାଜ୍ୟର ୫ ହଜାରରୁ ଅଧିକ ଶିଶୁ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରବା ସହିତ କେନ୍ଦ୍ର ସରକାର ମହିଳା ବିରୋଧୀ ଉକ୍ତିକୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର।
ଏଥିସହିତ କେନ୍ଦ୍ରର ସହାୟତା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ୪୭ ଲକ୍ଷ ଘରେ ମାଗଣା ଉଜ୍ଜ୍ୱଳା ଯୋଜନା ପହଞ୍ଚିଛି।
କରୋନା ସମୟରେ ୫୭୪ କୋଟିର ସିଲିଣ୍ଡର ସହାୟତା ମିଳିଛି। କରୋନାରେ ଓଡ଼ିଶାର ୮୫ ଲକ୍ଷ ଭଉଣୀଙ୍କ ଆକାଉଣ୍ଟକୁ ୧୫ ଶହ ଲେଖାଏଁ ମିଳିଛି। ଏହା ପରେ ବି ମୋଦି ମହିଳା ବିରୋଧୀ ପ୍ରଶ୍ନ କଲେ ଆପଣ କହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ?
ନାବାଳିକା ହତ୍ୟା ତଦନ୍ତ ଭାର ସିବିଆଇକୁ ଦେବାକୁ ଦାବି
ଯଦୁପୁର ନାବାଳିକା ହତ୍ୟା ଘଟଣାରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ନାବାଳିକା ହତ୍ୟା ତଦନ୍ତକୁ ନେଇ ବହୁ ସଂଶୟ ପ୍ରକାଶ ପାଇଲାଣି। ନ୍ୟାୟ ପାଇବା ପାଇଁ ପରୀ ବାପା, ମାଙ୍କୁ ଆତ୍ମାହୁତି ଉଦ୍ୟମ କରିବାକୁ ପଡ଼ିଲାଣି। ତେଣୁ ଭଲ ହେବ, ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ଭାର ଏକ ନିଷ୍ପକ୍ଷ କେନ୍ଦ୍ରୀୟ ସଂସ୍ଥାକୁ ଦିଅନ୍ତୁ। ରାଜ୍ୟ ସରକାର ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଦିଅନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି।
ସୂଚନା ଥାଉକି ଗତକାଲି ମଧ୍ୟ ଚାଷୀଙ୍କ ପ୍ରତି ଓଡ଼ିଶା ସରକାରଙ୍କର ଅବହେଳା ଥିବା ଦର୍ଶାଇ ପ୍ରବଳ ବର୍ଷିଥିଲେ ଧର୍ମେନ୍ଦ୍ର। ସେ କହିଥିଲେ ଯେ ରାଜ୍ୟ ସରକାର ଏଯାଏଁ କେନ୍ଦ୍ରକୁ ଓଡ଼ିଶା ଚାଷୀଙ୍କ ତାଲିକା ଦେଇପାରିନାହାନ୍ତି। କିନ୍ତୁ ମୋଦି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଆରମ୍ଭ କରିଛନ୍ତି। ଓଡ଼ିଶାର ଲୋକ କାହିଁକି ବାହାରକୁ କାମ ପାଇଁ ଯାଉଛନ୍ତି କହି ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର।
ଏହା ସହ ସୁଶାସନର ଉଦାହରଣ ଦେଇ ଗୁଜରାଟର କଚ୍ଛ କଥା ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ଯେ ୨୦୦୧ରେ କଚ୍ଛରେ ଭୂମିକମ୍ପ ହୋଇଥିଲା। ଓଡ଼ିଶାରେ ହୋଇଥିଲା ମହାବାତ୍ୟା। ଏବେ କଚ୍ଛ ଉନ୍ନତିର ଶିଖରରେ ଥିବା ବେଳେ ଓଡ଼ିଶାର ସ୍ଥାନ କେଉଁଠି ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପ୍ରଧାନ। ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଅବସରରେ ଜଗତସିଂହପୁର ଜିଲ୍ଲା ଏରସମାର ଜପାରେ ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଏପରି କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ତା ସହିତ ଗତକାଲି IFS ଅଭୟକାନ୍ତ ପାଠକଙ୍କ ନାଁ ନନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ। ଅଭୟକାନ୍ତଙ୍କ ଦୁର୍ନୀତି ଏବେ ରାଜ୍ୟ ସରକାରଙ୍କୁ ଦିଶିଲା। ଏତେ ଦିନ ଯାଏଁ ରାଜ୍ୟ ସରକାର କଣ କରୁଥିଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ। ତେବେ ସରକାରଙ୍କ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିପାରି ନଥିଲା।