ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌: କହିଲେ, ଦେଶ ଅପେକ୍ଷା ରାଜ୍ୟରେ କମ୍‌ ରହିଛି ଟେଷ୍ଟିଂ ହାର

ରାଜ୍ୟରେ ସଠିକ୍‌ ଭାବରେ ହେଉନାହିଁ ଟେଷ୍ଟିଂ

ଭୁବନେଶ୍ୱର: କରୋନା ଟେଷ୍ଟ୍‌କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଜାତୀୟ ହାର ତୁଳନାରେ ଓଡ଼ିଶାରେ ଟେଷ୍ଟିଂ ହାର କମ୍ ରହିଛି। ଓଡ଼ିଶାର ଜନସଂଖ୍ୟା ଯାହା କେରଳ ଜନସଂଖ୍ୟା ପ୍ରାୟ ସେତିକି । କେରଳରେ କିନ୍ତୁ ଟେଷ୍ଟିଂ ହାର ୧ ଲକ୍ଷରେ ୩୯୦ ରହିଛି କହିଲେ ଧର୍ମେନ୍ଦ୍ର। ଏହାସହ ଜାତୀୟ ସ୍ତରରେ ପ୍ରତି ୧ ଲକ୍ଷରେ ୧୪୬ ଜଣଙ୍କ ପରୀକ୍ଷା କରାଯାଉଛି । ରାଜ୍ୟରେ ମେ’ ୧ରୁ ୧୭ ମଧ୍ୟରେ ହାରାହାରି ୧ ଲକ୍ଷରେ ୧୨୦ ଟେଷ୍ଟ କରାଯାଉଛି । ୨୩ ଜିଲ୍ଲାରେ ଟେଷ୍ଟିଂ ଜାତୀୟ ହାର ଠାରୁ କମ୍ ରହିଥିବା କହିଛନ୍ତି ଧର୍ମେନ୍ଦ୍ର। ତେବେ ରାଜ୍ୟରେ କ୍ରମାଗତ ଭାବରେ ବଢିବାରେ ଲାଗିଛି କରୋନା ଯାହାକୁ ନେଇ ଚିନ୍ତା  ବଢିଛି।

ସେପଟେ, ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା। ଆଗାମୀ ୭ ରୁ ୧୦ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ ସ୍ଥିତି ରହିଛି ତେଣୁ କରୋନା ସଂକ୍ରମଣ କ୍ଷେତ୍ରରେ ସମାନ୍ତରାଳ ସ୍ଥିତିରେ ରହିଛି ଓଡ଼ିଶା। ଆସନ୍ତା ୭ରୁ ୧୦ ଦିନ ଭିତରେ କୋଭିଡ ପରିସଂଖ୍ୟାନ ଶୀର୍ଷକୁ ଛୁଇଁ କ୍ରମାନ୍ୱୟରେ ହ୍ରାସ ପାଇବ। ଏ ନେଇ ଆଶା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ବର୍ତ୍ତମାନ ସବୁଠୁ ବଡ଼ କଥା, ଓଡ଼ିଶାରେ ସଂକ୍ରମଣ ହାର ୨୦ ପ୍ରତିଶତ ତଳକୁ ଆସିଛି। ଏହା ଏକ ବଡ଼ ଉପଲବ୍ଧି। ଲକଡାଉନ୍‌ ପାଇଁ ରାଜ୍ୟରେ ସଂକ୍ରମଣ ଫ୍ଲାଟ୍ ସ୍ଥିତିରେ ଅଛି। ନଚେତ ଏବେ ୨୦ରୁ ୨୫ ହଜାର ଦୈନିକ ସଂକ୍ରମଣ ବାହାରିଥାଆନ୍ତା ବୋଲି ସେ କହିଛନ୍ତି।

ଏପଟେ, ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। କିଛି ଦିନ ବ୍ୟବଧାନ ପରେ ଗତକାଲି ଦୈନିକ ସଂକ୍ରମଣ ୧୦,୩୨୧ରେ ସୀମିତ ଥିବାବେଳେ ଆଜି ପୁଣି ୧୧ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧,୦୯୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନେର ୬୨୧୪ ଜଣ ଥିବା ବେଳେ ଲୋକାଲ କଣ୍ଟାକ୍ଟରେ ଅଛନ୍ତି ୪୮୮୫।

ସେପଟେ, ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ଏହି କଟକଣା ଜୁନ ପହିଲା ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ଆହୁରି କଡ଼ାକଡ଼ି ଚେକିଂ ହେବ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍ ୨.୦ରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟକୁ କମାଇ ଦିଆଯାଇଛି।  ଲୋକେ ସକାଳ ୭ଟାରୁ ୧୧ଟା ମଧ୍ୟରେ ନିଜର ଦରକାରୀ ସାମଗ୍ରୀ କିଣିପାରିବେ। ନିକଟସ୍ଥ ଦୋକାନକୁ ଚାଲି ଚାଲି ଯିବେ। ଏଥର ବାହାଘର ଓ ଅନ୍ୟାନ୍ୟ ଭୋଜିଭାତକୁ ମଧ୍ୟ ବାରଣ କରିଛନ୍ତି ରାଜ୍ୟ ସରକାର। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ବି ଜାରି ହୋଇଛି କଟକଣା।

You might also like