ତେଲ ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନକୁ ନିନ୍ଦା କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: କେନ୍ଦ୍ର ସରକାର ବାରମ୍ବାର ତେଲ ଦର ବୃଦ୍ଧି କରୁଥିବା ଅଭିଯୋଗ କରି ବିଜେଡି ଆଜି ରାସ୍ତାକୁ ଓହ୍ଲାଇଛି। ଦଳର ଯୁବ, ଛାତ୍ର ସଂଗଠନ ଓ ମହିଳା ମୋର୍ଚ୍ଚା ତରଫରୁ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଥିଲା। ୧୦ଟାରୁ ୧୨ଟା ଯାଏ ୨ ଘଣ୍ଟା ଧରି ଲୋକଙ୍କୁ ସଚେତନ କରାଯିବା ସହିତ ଲିଫ୍ଲେଟ୍ ବଣ୍ଟାଯାଇଥିଲା।
ଆଜି ବିଧାନସଭା ମୁଲତବୀ ପରେ ବିଜେଡି ବିଧାୟକମାନେ ପେଟ୍ରୋଲ ଟାଙ୍କିକୁ ଯାଇଛନ୍ତି ଏବଂ ତେଲ ଦର ବୃଦ୍ଧି ପ୍ରତିବାଦରେ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ କରିଛନ୍ତି। ରାଜ୍ୟର ଅନ୍ୟ ସ୍ଥାନରେ ବି ବିଜେଡି ବିକ୍ଷୋଭ କରିଛି। ଆସନ୍ତାକାଲି ଓ ରବିବାର ମଧ୍ୟ ଏହା ଜାରି ରହିବ ବୋଲି ଦଳ ତରଫରୁ କୁହାଯାଇଛି।
ଅନ୍ୟପକ୍ଷେ ତେଲ ଦର ବୃଦ୍ଧି ନେଇ ବିଜେଡିର ଆନ୍ଦୋଳନକୁ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ଭର୍ତ୍ସନା କରିଛନ୍ତି । ସେ କଟୁ ଭାଷାରେ କହିଛନ୍ତି ଯେ, ଏହା ବିଜେଡିର ମାନସିକ ଦେବାଳିଆପଣ। ଶ୍ରୀଜଗନ୍ନାଥ ଏମାନଙ୍କୁ ଛୋଟ ବୁଦ୍ଧିରୁ ନିବୃତ୍ତ ରଖନ୍ତୁ। ଧର୍ମେନ୍ଦ୍ର କହିଛନ୍ତି, ୨୦୧୪ରେ ତେଲରୁ ରାଜ୍ୟକୁ ୩ ହଜାର କୋଟି ଟଙ୍କା ରାଜସ୍ୱ ମିଳୁଥିଲା। ଏବେ ତାହା ୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପେଟ୍ରୋଲ ଦର ବୃଦ୍ଧି ଲାଗି ଧର୍ମେନ୍ଦ୍ର ପ୍ରଧାନ ଡଲାରକୁ ଦାୟୀ କରିଛନ୍ତି। ଏନେଇ ବିଜେଡିର ପ୍ରତିକ୍ରିୟା ମିଳି ପାରି ନାହିଁ।