ଧନୁଯାତ୍ରାରେ ଯବନିକା ; କଂସ ବଦ୍ଧ ସହ ଶେଷ ହେଲା ବରଗଡ଼ ଧନୁଯାତ୍ରା

ବରଗଡ଼ : କଂସ ବଦ୍ଧ ସହ ଧନୁଯାତ୍ରାରେ ପଡ଼ିଲା ଯବନିକା। ୧୧ ଦିନ ଧରି ବରଗଡ଼ରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆଜି ଉଦଯାପିତ ହୋଇଛି। ଆଜି ଶେଷ ଦିନରେ ପାପାଚାରୀ କଂସକୁ ବଦ୍ଧ କରି ମଥୁରାବାସୀଙ୍କୁ ଅତ୍ୟାଚାରୁ ମୁକ୍ତ କରିଛନ୍ତି କୃଷ୍ଣ ବଳରାମ।

କୃଷ୍ଣ ବଳରାମ ଆଜି ମଥୁରା ଭ୍ରମଣ ପରେ କଂସ ଦରବାରରେ ଉପସ୍ଥିତ ହେଇଥିଲେ। କୃଷ୍ଣଙ୍କୁ ହତ୍ୟା କରିବାକୁ ମାମୁଁ କଂସ କୁବଳୟା ହସ୍ତୀ ଓ ଅଷ୍ଟମଲ୍ଲଙ୍କୁ ପଠାଇଥିଲେ, ହେଲେ ଏମାନେ କୃଷ୍ଣଙ୍କ ଦ୍ୱାରା ବଦ୍ଧ ହୋଇଥିଲେ। ପରେ ମଞ୍ଚାରେ ବେଶ୍ କିଛି ସମୟ ଧରି ଚାଲିଥିଲା ମାମୁଁ ଓ ଭଣଜାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ।

ଶେଷରେ ମାମୁଁଙ୍କୁ କଚାଡ଼ି ମାରିଥିଲେ କୃଷ୍ଣ। କଂସ ବଦ୍ଧ ସହ ପଶ୍ଚିମ ଓଡ଼ିଶାର ଏହି ବିଶାଳ ମହୋତ୍ସବ ଧନୁଯାତ୍ରା ଉଦଯାପିତ ହୋଇଛି। ଧନୁଯାତ୍ରାର ଅନ୍ତିମ ଦୃଶ୍ୟକୁ ଦେଖିବାକୁ ଆଜି ପ୍ରବଳ ଜନ ସମାଗମ ହୋଇଥିଲା।

You might also like