ମଥୁରାନଗରୀରେ ଚାଲିଛି ମହାରାଜା କଂସଙ୍କ ରାଜୁତି

ବରଗଡ଼: ମଥୁରାନଗରୀରେ ମହାରାଜା କଂସଙ୍କ ରାଜୁତି ଚାଲିଛି। ସୁସଜ୍ଜିତ ହାତୀ ପିଠିରେ ବସି ମହାରାଜା ନଗର ଭ୍ରମଣ କରିବା ସହ ପ୍ରଜାଙ୍କ ସୁଖଦୁଃଖ ବୁଝୁଛନ୍ତି। ଏଥିସହ ରଙ୍ଗମହଲ ମଧ୍ୟ ଉଦ୍‌ଘାଟନ କରିଥିଲେ ମହାରାଜା କଂସ।

ଧନୁଯାତ୍ରାର ତୃତୀୟ ଦିନରେ ମହାରାଜା କଂସ ମଥୁରାନଗରୀ ଭ୍ରମଣ କରିବେ। ଏହାସହ ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ଶ୍ୟାମେଶ୍ୱର ମହାଦେବ ଦର୍ଶନ ଭଳି କାର୍ଯ୍ୟକ୍ରମ ରହିଛି। ସେହପରି ଗୋପପୁରରେ ନନ୍ଦୋତ୍ସୋବ, କୃଷ୍ଣଙ୍କ ଦୋଳି ଝୁଲା, ରାସ ନୃତ୍ୟ, କୃଷ୍ଣ-ବଳରାମଙ୍କ ଗୋପପୁର ଭ୍ରମଣ କାର୍ଯ୍ୟକ୍ରମ ରହିଛି।

ଏଥିସହ ମହାରାଜା କଂସ ଶାନ୍ତିଶୃଙ୍ଖଳାର ତଦାରଖ କରିଛନ୍ତି।  କିଏ ବିଶୃଙ୍ଖଳା ଆଚରଣ କଲେ ତାହାର ଦଣ୍ଡବିଧାନ ମଧ୍ୟ କରୁଛନ୍ତି। ଅଭିଯୋଗର ତଦନ୍ତ ପାଇଁ ମହାରାଜା କଂସ ପରିବହନ ନିଗମ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କୁ ମଧ୍ୟ ତାଗିଦ୍‌ କରିଛନ୍ତି। ଏଥିସହ ବସ୍‌ ଚାଳକ ମଦ ପିଇ ଗାଡ଼ି ଚଳାଉଥିବାରୁ ତାଙ୍କୁ ମଧ୍ୟ ତାଗିଦ୍‌ କରିଥିଲେ। ସେହିପରି ବସ୍‌ଷ୍ଟାଣ୍ଡ ପରିସରରେ ଅଳିଆ ଆବର୍ଜନା ପଡ଼ିଥିବାରୁ କାହିଁକି ଠିକ୍‌ ଭାବେ ସଫା କରାଯାଉନଥିବା ମହାରାଜା କଂସ ପଚାରିଥିଲେ।

ଏବେ ମଥୁରା ରାଜ୍ୟରେ ମହରାଜା କଂସଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଚାଲିଥିବା ବେଳେ ଏହି ଅଭିଯାନର ଖିଲାପ କରାଯାଉଥିବା ସେ କହିଥିଲେ। ଏଥିସହ ବସ୍‌ଷ୍ଟାଣ୍ଡ ପରିସରରେ ନିର୍ମିତ ଶୌଚାଳୟକୁ ଯାତ୍ରୀଙ୍କ କାମରେ ଲଗା ଯାଉନଥିବାରୁ ଅଧିକାରୀଙ୍କୁ ଦୁଇ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଜରିମାନା କରିଥିଲେ।

ପରେ ମହାରାଜା କଂସ ବରଗଡ଼ରୁ ମାଲକାନଗିରି ଯାଉଥିବା ବସ୍‌ ଭିତରକୁ ଯାଇ ଯାତ୍ରୀମାନଙ୍କ ସହ ସୁଖ ଦୁଃଖ ହୋଇଥିଲେ। ଅନ୍ୟପଟେ ଗତକାଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମହାରାଜ କଂସଙ୍କ ଅତିଥି ଭାବେ ଯୋଗ ଦେଇଥିଲେ।

You might also like