‘ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୁଅ’

ଫୁଲବାଣୀ: ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଆହ୍ୱାନ। କନ୍ଧମାଳରେ ମାଓ ମୁକାବିଲା ସମୀକ୍ଷା କରିବା ଅବସରରେ ପୋଲିସ ଡିଜି ଅଭୟ ଏଭଳି ଆହ୍ୱାନ ଦେଇଛନ୍ତି।

କନ୍ଧମାଳରେ ମାଓ ମୁକାବିଲା ପୋଲିସ ଡିଜି ଅଭୟ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟସ୍ରୋତକୁ ଆସନ୍ତୁ, ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% ରହିଛନ୍ତି।
ସେମାନଙ୍କୁ ଅପିଲ୍ କରୁଛି ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ଡିଜିପି ଆହ୍ୱାନ ଦେଇଛନ୍ତି।

ଗତକାଲି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ର୍ସିଲା ଜଙ୍ଗଲରେ ହୋଇଥିବା କୁମ୍ବିଂ ଅପରେସନରେ ଦୁଇ ମାଓବାଦୀ ନିହତ ଏବଂ ମାଓ କ୍ୟାମ୍ପ ଠାବ ଘଟଣା ପରେ ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ପୋଲିସର ରଣନୀତି ଉପରେ ସମୀକ୍ଷା କରୁଛନ୍ତି ବରିଷ୍ଠ ପୋଲିସ ଅଧିକାରୀ।

ଫୁଲବାଣୀ ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏହି ସମୀକ୍ଷା ବୈଠକ ବସିଛି। ବୈଠକରେ କନ୍ଧମାଳ ଏସପି ଭିନିତ ଅଗ୍ରଓ୍ୱାଲ ଉପସ୍ଥିତ ରହି DGP ଏବଂ ତାଙ୍କ ଟିମକୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ  ଡିଜିପିଙ୍କ ସହ IG Operation ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ଆରକେ ଶର୍ମା, DIGP ଅନିରୁଦ୍ଧ ସିଂ, DIG ସତ୍ୟବ୍ରତ ଭୋଇ ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ।

ପ୍ରକାଶଥାଉକି ଗୁରୁବାର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ପୋଲିସ ସହ ମୁହାଁମୁହିଁ ବେଳେ ୨ ମାଓବାଦୀ ନିହତ ହୋଇଥିଲେ। ନକ୍ସଲଙ୍କ ଉପସ୍ଥିତି ସୂଚନା ପାଇ ପୋଲିସ ତୁରନ୍ତ ଅପରେସନ ଆରମ୍ଭ କରିଥିଲା। ଉଭୟ ଓଡ଼ିଶା ପୋଲିସର ଏସ୍ଓଜି ଏବଂ ଡିଭିଏଫ୍ ମିଳିତ ଅପରେସନରେ ଯାଇଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା।

ପୋଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇବାରୁ କଡ଼ା ଜବାବ ଦିଆଯାଇଥିଲା। ଗୁଳି ବିନିମୟ ଥମିବା ପରେ ସେଠାରୁ ୨ଜଣ ନକ୍ସଲଙ୍କ ମୃତଦେହ ମିଳିଥିଲା। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀ ଅଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଇନ୍ସାସ ଓ ଗୋଟିଏ କାର୍ବାଇନ ରାଇଫଲ ମିଳିଛି। ପୂର୍ବରୁ ଗତ ୫ ତାରିଖରେ ମଧ୍ୟ କନ୍ଧମାଳର ତୁମୁଡିବନ୍ଧ ଅଂଚଳରେ ୪ କ୍ୟାଡର ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ।

ଆହୁରି ପଢ଼ନ୍ତୁ

You might also like