କାକଟପୁର ମଙ୍ଗଳା ମନ୍ଦିରରେ ଅଚଳାବସ୍ଥା ସୃଷ୍ଟି; ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ୱର: କାକଟପୁର ମା’ ମଙ୍ଗଳା ମନ୍ଦିରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗତକାଲି ଜଣେ ଶ୍ରଦ୍ଧାଳୁଙ୍କୁ ଠେଲାପେଲା କରିବା ଓ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ପୁଲିସ୍‌ ୩ ସେବାୟତଙ୍କୁ ଗିରଫ କରିଥିଲା।

୩ ସେବାୟତଙ୍କୁ ପୁଲିସ୍‌ର ଗିରଫ ପ୍ରତିବାଦରେ ଆଜି ସେବାୟତ ସମିତି ପକ୍ଷରୁ ମା’ ମଙ୍ଗଳା ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାରେ ଅସହଯୋଗ କରାଯାଇଛି। ମା’ ମଙ୍ଗଳକାଙ୍କ ନୀତିକାନ୍ତି ସ୍ୱାଭାବିକ ରହିଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ନକରି ନିରାଶ ହୋଇ ଫେରୁଛନ୍ତି। ମନ୍ଦିର ପରିସରରେ ଭୋଗ ଓ ପୂଜାସାମଗ୍ରୀ ବିକ୍ରି ହେଉଥିବା ଦୋକାନ ମଧ୍ୟ ବନ୍ଦ ରହିଛି।

ସୂଚନାଥାଉ କି, ଗତକାଲି ପୁରୀରୁ ଏକ ପରିବାର ମା’ ମଙ୍ଗଳାଙ୍କ ଦର୍ଶନ ପାଇଁ ଆସିଥିଲେ। ତେବେ ସେମାନଙ୍କୁ କିଛି ସେବାୟତ ଠେଲାପେଲା କରିବା ସହ ମହିଳା ଶ୍ରଦ୍ଧାଳୁଙ୍କୁ ସେବାୟତମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏନେଇ କାକଟପୁର ଥାନାରେ ଅଭିଯୋଗ ପରେ ପୁଲିସ୍‌ ୩ ସେବାୟତଙ୍କୁ ଗିରଫ କରିଥିଲା। ଏହାପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଏହି ଘଟଣାରେ ପୁଲିସ୍‌ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ନିରପେକ୍ଷ ତଦନ୍ତ ସହ ସେବାୟତଙ୍କୁ ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ସେବାୟତଙ୍କ ପକ୍ଷରୁ ଅସହଯୋଗ ଜାରି ରହିବ ବୋଲି ଧମକ ଦିଆଯାଇଛି।

You might also like