ମାନିଲେନି ଧାଡ଼ି; ପୂର୍ବ ଭଳି ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିଭ୍ରାଟ ଦେଖାଦେଇଛି। ଆଜି ଭୋର୍‌ରୁ ଯେତେବେଳେ ଦୁଆର ଖୋଲା ହେଲା, ଭକ୍ତମାନେ ଧାଡ଼ି ନ ମାନି ଆଗରୁ ଯେମିତି ମନ୍ଦିରରେ ପ୍ରବେଶ କରୁଥିଲେ, ସେମିତି ଭାବେ ପ୍ରବେଶ କରିଛନ୍ତି।

ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ମହିଳା ଭକ୍ତମାନେ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି, ଭିଡ଼ ଥିବା ବେଳେ ଧାଡ଼ି କରାଯିବା କଥା। ଭିଡ଼ ନ ଥିବା ବେଳେ କାହିଁକି ଧାଡ଼ିରେ ଯିବୁ?

ନିଷ୍ପତ୍ତି ହୋଇଥିଲା ଯେ, ଆଜିଠାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ। ସିଂହଦ୍ୱାର ଦେଇ ସମସ୍ତ ଭକ୍ତ ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏଥିପାଇଁ ସିଂହଦ୍ୱାର ଆଗରେ ତିଆରି ହୋଇଛି ସ୍ଥାୟୀ ବାରିକେଡ୍। ଏହି ବ୍ୟବସ୍ଥା ପ୍ରତିଦିନ କରାନଯାଇ ସପ୍ତାହର ଗୋଟିଏ ଦିନ କରାଯିବ।

ଅନ୍ୟପକ୍ଷରେ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବିଭ୍ରାଟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ।

ସେ କହିଛନ୍ତି,“ପ୍ରଶାସନର ପ୍ରଚେଷ୍ଟାକୁ ବିଫଳ କରିବା ଠିକ୍ ହେଲାନି। ଧାଡ଼ି ଭାଙ୍ଗି କିଏ ଧସେଇ ପଶିଲେ ସିସିଟିଭି ଫୁଟେଜ୍‌ରୁ ଯାଞ୍ଚ ହେବ। ବିଭ୍ରାଟର କାରଣ ଓ ନିରାକରଣ ନେଇ ଆଲୋଚନା ହେବ।”

ଯଦି ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଯଦି କିଛି ତ୍ରୁଟି କିମ୍ବା ଭକ୍ତମାନଙ୍କର ଅସୁବିଧା ପରିଲକ୍ଷିତ ହୁଏ, ତେବେ ସେଥିରେ ଆବଶ୍ୟକ ସୁଧାର ଅଣାଯାଇ କାର୍ତ୍ତିକ ମାସ ପରେ ପ୍ରତିଦିନ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ଦର୍ଶନ ପାଇଁ ଭକ୍ତମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପ୍ରଥମ ଦିନରୁ ହିଁ ବିଭ୍ରାଟ ଦେଖାଦେଇଛି। ତେବେ ଧାଡ଼ି ଦର୍ଶନକୁ ସେବାୟତ, ଭକ୍ତ ଓ ଲୋକମାନେ ଆଗରୁ ମଧ୍ୟ ବିରୋଧ କରୁଥିଲେ।

You might also like