‘ମତେ ଟିକେ ମୋ ଜଗା ପାଖକୁ ଛାଡିଦିଅ’

ପୁରୀ: ଆଜି ଏକାଦଶୀ। ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ପହଞ୍ଚିଲିଣି ମତେ ଟିକେ ମୋ ଜଗା ପାଖକୁ ଛାଡିଦିଅ। ତାକୁ ଆଖିଭରି ଦେଖିଦେଲେ ମୋର ସବୁ ଆଶା ପୁରଣ ହୋଇଯିବ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ସିଂହଦ୍ୱାର ସମ୍ମୁଖରେ। ଏ ହେଉଛନ୍ତି ପୁରୀ ଗୌଡବାଡ ସାହିର ୭୦ ବର୍ଷୀୟ ଲକ୍ଷ୍ମୀ ଦେ।

ଆଜି ବଡ ଏକାଦଶୀ ଅବସରରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ ମଧ୍ୟ ପାଖରେ କରୋନା ରିପୋର୍ଟ ନଥିଲା। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ହାତ ଯୋଡି ପତିତପାବନଙ୍କୁ ଦର୍ଶନ କରୁଥିଲେ। ହେଲେ କାଳିଆ ଠାକୁର ତାଙ୍କୁ ପାଖକୁ ଡାକିଲା। ସିଂହଦ୍ୱାର ସମ୍ମୁଖରେ ସୁରକ୍ଷାକର୍ମୀ ଥିଲେ ମଧ୍ୟ ସୁରକ୍ଷାବଳୟକୁ ଭେଦ କରି ସେ ସିଧା ଅରୁଣସ୍ତମ୍ବ ପାଖରେ ପହଞ୍ଚିଥିଲେ।

କାଳିଆ ଦର୍ଶନ କରିବା ପାଇଁ ପୋଲିସ ଗୋଡତଳେ ପଡି ନେହୁରା ହୋଇଥିଲେ। ସିଂହଦ୍ୱାରଦେଇ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେଠାରେ ତାଙ୍କୁ ଜେଟିପି ପୋଲିସ ଏବଂ ସିଂହଦ୍ୱାର ଥାନା ଆଇଆଇସି ଅଟକାଇଥିଲେ। ଯାହା ଫଳରେ ଲକ୍ଷ୍ମୀ ମାଉସୀ କାଳିଆ ଦର୍ଶନରୁ ବଞ୍ଚିତ ରହିଲେ। ଆଉ କହିଲେ କାଳିଆ ତୋ ପାଇଁ ମୁଁ ଆଜି ଜଳଗ୍ରହଣ କରିନି। ଆଉ କେତେ ତୁ ମୋର ପରୀକ୍ଷା ନବୁ।

ମହାପ୍ରଭୂ ଜଗନ୍ନାଥଙ୍କୁ ୧୦ ମାସ ହେଲାଣି ଦେଖିନି। ମୋ ମନ ବ୍ୟାକୁଳ ହୋଇ ଉଠୁଛି। ତା ରୂପକୁ ଟିକେ ଦେଖିବା ପାଇଁ ମନ ଥୟ ହୋଇ ରହୁନାହିଁ। କାଳିଆକୁ ଦେଖିଦେଲେ ମୋର ସବୁ ଦୁଃଖ ଦୂର ହୋଇଯିବ। ଯେତେବେଳେ ବି ତା ପାଖକୁ ଆସେ, ତାକୁ ଦେଖିକି ଯାଇପାରେନି। ମୁଁ କିଛି ଖାଇନାହିଁ। କାଳିଆକୁ ଦେଖିସାରିବା ପରେ ମୁଁ ଖାଇବି। ତାକୁ କଣ ବା ମାଗିବି, ଦୁଃଖ ସେ ହିଁ ଦେଇଛି ଆଉ ସୁଖ ସେ ହିଁ ଦେଇଛି। ଆଜି କାଳିଆକୁ ଦର୍ଶନ ନକଲେ ମୋତେ ଶାନ୍ତି ମିଳିବ ନାହିଁ।  
-ଲକ୍ଷ୍ମୀ ଦେ, ଭକ୍ତ
You might also like