ଏମିତି ଭୟଙ୍କର ଅଘଟଣ ଆଗରୁ ୩ଥର ହୋଇଥିଲା, ତଥାପି ଚେତା ପଶିଲାନି

ରାଉଲକେଲା: ପୁଣି ଘାତକ ସାଜିଲା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କାମ କରୁ କରୁ ବିଷାକ୍ତ ଗ୍ୟାସ୍ ଶୋଷିନେଲା ୪ ଶ୍ରମିକଙ୍କ ଜୀବନ। RSPର କୋଲ୍ କେମିକାଲ ୟୁନିଟରେ ଘଟିଛି ଏହି ବଡ଼ ଧରଣର ଅଘଟଣ। ସକାଳ ପ୍ରାୟ ୯ଟା ପ୍ଲାଣ୍ଟର କୋଲ୍ କେମିକାଲ ୟୁନିଟରେ ଗ୍ୟାସ୍ ଚାମ୍ବର ମରାମତି କାମରେ ଲାଗିଥିଲେ ଶ୍ରମିକ। ହଠାତ ଲିକ୍ ହୋଇଥିଲା ବିଷାକ୍ତ କାର୍ବନ ମନୋକସାଇଡ୍ ଗ୍ୟାସ୍ ଫଳରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରାୟ ୧୦ରୁ ଅଧିକ ଶ୍ରମିକ। ଅଘଟଣ ପରେ ତୁରନ୍ତ ଅସୁସ୍ଥଙ୍କୁ ଉଦ୍ଧାର କରାଯାଇ IGHର ICUରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ୪ ଶ୍ରମିକ। ଅନ୍ୟମାନେ ଏବେ ବି ଚିକିତ୍ସାଧୀନ ଅଛନ୍ତି। ସେପଟେ ଏ ଘଟଣା ପ୍ରଚାର ହେବା ମାତ୍ର RSP ଓ IGH ସାମ୍ନାରେ ଭିଡ଼ ଜମାଇଥିଲେ ଶ୍ରମିକଙ୍କ ସମ୍ପର୍କୀୟ ଉଭୟ ସ୍ଥାନରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ।

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଆସିଥିଲେ ବିଭିନ୍ନ ଶ୍ରମିକ ସଂଗଠନ ନେତା ଓ ସ୍ଥାନୀୟ ଲୋକ ପ୍ରତିନିଧି ପ୍ଲାଣ୍ଟ୍‌ରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ଏଥିପାଇଁ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଓ ବେପରୁଆ ମନୋଭାବକୁ ଦାୟୀ କରିଥିଲେ। ଏପରିକି ଆଜିର ଅଘଟଣ ପୂର୍ବରୁ RSP କର୍ତ୍ତୃପକ୍ଷ ସୁରକ୍ଷା ପ୍ରୋଟକଲ ଉଲ୍ଲଂଘନ କରିଥିବା ଅଭିଯୋଗ ସହ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ବିଭାଗୀୟ ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଚାକିରି ଆଦି ଦାବି ଉଠାଇଥିଲେ।

ରେଗୁଲାର ୱାର୍କର ତଥା ତାଲିମପ୍ରାପ୍ତ, ଅଭିଜ୍ଞ ଥିବା ଲୋକଙ୍କୁ ଗ୍ୟାସ୍ ଲିକ୍ କାମରେ ନଲଗାଇ ଠିକା ଶ୍ରମିକଙ୍କୁ ବ୍ୟବହାର କରାଯାଇଥିବା ଏପରି ଅଘଟଣ ଘଟୁଛି।
-ବିଷ୍ଣୁ ମହାନ୍ତି, ସର୍ବଭାରତୀୟ ଉପସଭାପତି, ସିଟୁ

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଏଭଳି ଦୁର୍ଘଟଣା ନୂଆ ନୁହେଁ। ୨୦୧୨, ୨୦୧୫, ୨୦୧୭ରେ ଦୁର୍ଘଟଣା ଘଟି ଏକାଧିକ ଲୋକଙ୍କ ଜୀବନ ଯାଇଛି। ଆଜିର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାର ପିଛା ଅଢେଇ ଲକ୍ଷ ଟଙ୍କାର କ୍ଷତିପୂରଣ, ଜଣକୁ ଚାକିରି, ଆଗକୁ ଶ୍ରମିକଙ୍କ ପାଇଁ ଗ୍ରୁପ୍ ଇନସୁରାନ୍ସ ସୁବିଧା ଭଳି ଦାବିକୁ ପ୍ଲାଣ୍ଟ କର୍ତ୍ତୃପକ୍ଷ ମାନି ନେଇଥିବା ସୂଚନା ମିଳିଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟିତ୍ୱରେ ଅବହେଳା ପାଇଁ ୨ ଡିଜିଏମ୍‌ଙ୍କୁ ନିଲମ୍ବନ କରାଯାଇଛି।

ପ୍ରତି ମୃତକଙ୍କ ପରିବାରକୁ ଜଣଙ୍କୁ ଚାକିରି ମିଳିବ। ଅନୁକମ୍ପାମୂଳକ ସହାୟତା ଅଢେଇ ଲକ୍ଷ ଟଙ୍କା ମିଳିବ।  
-ଦୌଲତ ଚନ୍ଦ୍ରାକର, ଉପଜିଲ୍ଲାପାଳ, ପାନପୋଷ

RSP ଦୁର୍ଘଟଣା ପରେ ମୃତକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ଜଣାଇଛନ୍ତି।

You might also like