ପରିଣତ ବୟସରେ ପର କରିଦେଲେ ପୁଅଝିଅ, ସରକାରୀ ଯୋଜନା ବି ସାତସପନ

ଭଙ୍ଗା ଘରେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତି

ଭଞ୍ଜନଗର(ରାଜେଶ କୁମାର ପଣ୍ଡା) : ପୁଅ, ଝିଅ ସମସ୍ତେ ଅଛନ୍ତି । କିନ୍ତୁ ଦାୟିତ୍ୱ ନେବା ସମୟରେ ସବୁ ପର କରି ଚାଲିଗଲେ । ପରିତ୍ୟକ୍ତ ଭଙ୍ଗା ଘରେ କଟୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ ।  ବୟସର ଅପରାହ୍ନରେ ଗୋଟିଏ ପରିତ୍ୟକ୍ତ ଘରର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ଗୋଟିଏ ପଟେ ରକ୍ତ ସମ୍ପର୍କର ମୂଲ୍ୟ ନଥିବା ବେଳେ ଅନ୍ୟପଟେ ସରକାର ବି ସେମାନଙ୍କ ପାଇଁ ନିରବଦ୍ରଷ୍ଟା ପାଲଟିଛନ୍ତି । ଗରିବ ଅସହାୟମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ରହିଛି ପୁଳା ପୁଳା ଯୋଜନା, ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି । ରାସ୍ତା କଡରେ ପରିତ୍ୟକ୍ତ ଅବସ୍ଥାରେ ଥିବା ସରକାରୀ ଘର ବାରଣ୍ଡାରେ ଦୀର୍ଘ ୨୨ବର୍ଷ ହେଲା ଜୀବନ କାଟୁଛନ୍ତି ଏହି ଦମ୍ପତି ।

ଗଞ୍ଜାମ ବେଲଗୁଣ୍ଠା ବ୍ଲକ ସୋମନାଥପଲ୍ଲୀ ଗାଁର ଜମ୍ଭୁ ନାୟକ ଓ କୀର୍ତ୍ତନ ନାୟକ । ନିଜ ଗାଁ ଇଙ୍ଗିନାଠିରୁ ଆସି ଦୀର୍ଘ ୨୨ ବର୍ଷ ହେଲା ଆସି ଏଠାରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ଅସହାୟତା ଦେଖି ଗାଁ ଲୋକେ ଜଳବିଭାଜନର ଏକ ବ୍ୟବହାର ହେଉନଥିବା ପରିତ୍ୟକ୍ତ ଘରକୁ ରହିବା ପାଇଁ ଅନୁମତି ଦେଇଥିଲେ । ଆଉ ସେବେଠାରୁ ଅବ୍ୟବହୃତ ତଥା ପରିତ୍ୟକ୍ତ ଘରେ ଜୀବନ କାଟୁଛନ୍ତି ଦମ୍ପତି । ତେବେ ସେହି ଘରେ ବର୍ଷା ପାଣି ଗଳିବା ସହ ବିଦ୍ୟୁତ ଵ୍ୟଵସ୍ଥା ମଧ୍ୟ ନାହିଁ , ଛାତରୁ ସିମେଣ୍ଟ ଖଂଡ ଝଡ଼ୁଛି । ବାଉଁଶ ତିଆରି ତାଟିକବାଟିଏ କରି ଅତ୍ୟନ୍ତ ବିପଦସଙ୍କୁଳ ଭାବେ ରହୁଛନ୍ତି।

ପରିଣତ ବୟସରେ କେହି କାମ ଦେଉନାହାନ୍ତି କି ସେମାନେ କାମଧନ୍ଦା କରିବାକୁ ସେମାନେ ସକ୍ଷମ ମଧ୍ୟ ନୁହଁନ୍ତି । ଯିଏ ଯାହା ଦୟା ଦେଖାଇ ଦେଲା ସେତିକିରେ ଚଳୁଛନ୍ତି ।  ଆଉ କେଉଁ ଆଡ଼ୁ କିଛି ନମିଳିଳେ ଭୋକ ଉପବାସରେ ଶୋଇବାକୁ ପଡୁଛି ।  ଜନ୍ମ କରିଥିବା ପୁଅ ଝିଅ ବାପାମା’ଙ୍କୁ ରାସ୍ତାରେ ଛାଡ଼ି ଯାଇଛନ୍ତି । ଭଲମନ୍ଦରେ ଦିନେବି ଦେଖିବାକୁ ଆସୁନାହାନ୍ତି। ଜମ୍ଭୁ ନାୟକଙ୍କୁ ୬୫ ବର୍ଷ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁନି। ତେବେ ଏପରି ସମୟରେ  ଅସହାୟ ଭାବେ ଦୁର୍ଦ୍ଦିନରେ ଦିନ କାଟୁଥିବା ବୃଦ୍ଧ ଦମ୍ପତିଙ୍କ ପାଇଁ ଦେବଦୂତ ସାଜିଛନ୍ତି ଗାଁର କିଛି ଯୁବକ । ସେମାନଙ୍କ ଦେହ ଖରାପ ହେଲେ ମେଡିସିନ ଆଣି ଦେବା ସହ ସେମାନଙ୍କ ସୁବିଧା ଅସୁବିଧା ବୁଝିଥାନ୍ତି ।

ଅନ୍ୟପଟେ କୀର୍ତ୍ତନଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କା ଓ ୧୦ କିଲୋ ଚାଉଳରେ କଷ୍ଟେ ମଷ୍ଟେ ସେମାନଙ୍କ  ସଂସାର ଚଳୁଛି । ହେଲେ ଏତିକିରେ ଦୁଇ ପ୍ରାଣୀ ଚଳିବା କଷ୍ଟକର ହୋଇପଡ଼ୁଛି । ସରକାରଙ୍କ ପକ୍ଷରୁ ଜମ୍ଭୁ ନାୟକକୁ ବାର୍ଦ୍ଧକ୍ୟ ଭତ୍ତା ଓ ଘରଖଣ୍ଡେ ବ୍ୟବସ୍ଥା କରାଗଲେ ଅନ୍ତତଃ ଶେଷ ଜୀବନଟା ଟିକେ ସୁଖରେ କଟନ୍ତା ବୋଲି ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

You might also like