• translate
Satyendu Shekher Mishra

ଭୁବନେଶ୍ୱର: ୨୦ ଜିଲ୍ଲାକୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ସତ୍ତ୍ୱେ ସେବା ଠପ୍ । ଅନୁମତିର ୪ ଦିନ ପରେ ବି ରାଜ୍ୟରେ ସ୍ୱାଭାବିକ ହୋଇପାରିନି ବସ୍ ଚଳାଚଳ । ରାଜ୍ୟର ସବୁ ପ୍ରମୁଖ ସହରର ବଡ଼ ବଡ଼ ବସଷ୍ଟାଣ୍ଡରେ ଖତ ଖାଉଛି ହଜାର ହଜାର ବସ୍ ।

ଜନଗହଳିରେ ଫାଟି ପଡୁଥିବା ବସଷ୍ଟାଣ୍ଡ୍ ଅଞ୍ଚଳ ଜନଶୂନ୍ୟ । ଯେଉଁଠି ଦିନେ ଯାତ୍ରୀଙ୍କ କୋଳାହାଳ ଆଉ ଧାଡ଼ି ଧାଡ଼ି ବସ୍ ଯାଆ ଆସ କରୁଥିଲା, ସେ ସ୍ଥାନ ଆଜି ଶୁନଶାନ । ସମ୍ବଲପୁର ଘରୋଇ ବସଷ୍ଟାଣ୍ଡ ଏବେ ପୁରା ଶୁନଶାନ । ସର୍ବସାଧାରଣଙ୍କ ପାଇଁ ବସ୍ ସେବା ଆରମ୍ଭ ଲାଗି ସରକାରଙ୍କ ଅନୁମତିକୁ ୪ ଦିନ ବିତିଲାଣି । ହେଲେ ଏଠି ପୂର୍ବରୁ ସ୍ଥିତି ଯାହା ଥିଲା, ଏବେ ବି ପ୍ରାୟ ସେଇୟା । ଏହି ଷ୍ଟାଣ୍ଡକୁ ଦୈନିକ ଚଳାଚଳ କରିଥାନ୍ତି ସାଢେ ୩ ଶହରୁ ଅଧିକ ବସ୍ । ହେଲେ ଏବେ ଯାତ୍ରୀଙ୍କ ଆତଯାତ ନଥିବାରୁ ନାଁକୁ ମାତ୍ର ଗଡୁଛି ହାତଗଣିତ ବସ୍ । ଯେଉଁ ବସ୍ ଚାଲୁଛି, ସେଥିରେ ଯାତ୍ରୀଙ୍କ ସଂଖ୍ୟା ଦୁଇ ଅଙ୍କ ବି ଛୁୁଉଁନି ।

ଅନୁରୂପ ଭାବେ ବଲାଙ୍ଗିର ବସଷ୍ଟାଣ୍ଡର ଅବସ୍ଥା ବି ସମାନ । କଟକଣା କୋହଳ ପୂର୍ବର ସ୍ଥିତି ଆଦୌ ବଦଳିନି । ଯାତ୍ରୀ ଅଭାବ ଓ ସ୍ଥିତିକୁ ଦେଖି ଚାଲି ପାରୁନି ବସ୍ । ଫଳରେ ବ୍ୟବସାୟ ଓ ଜୀବିକାକୁ ନେଇ ହତାଶ ଉଭୟ ମାଲିକ ଓ ବସ୍ କର୍ମଚାରୀ ।

ରାଜ୍ୟରେ ଯାତ୍ରୀ ପରିବହନରେ ମୁଖ୍ୟ ଭୂମିକା ନେଇଥାଏ ଘରୋଇ ବସ୍ । ହେଲେ ଏଠି ପ୍ରଶ୍ନ, ସରକାରଙ୍କ ଅନୁମତି ପରେ ବି କାହିଁକି ସ୍ୱାଭାବିକ ହୋଇପାରୁନି ବସ୍ ସେବା ? ପ୍ରଥମ କଥା ସରକାର କେବଳ ୨୦ଟି ଜିଲ୍ଲାରେ ବସ୍ ସେବାକୁ ଅନୁମତି ଦେଇଥିବା ବେଳେ ବାକି ୧୦ଟି ଜିଲ୍ଲାରେ ପ୍ରତିବନ୍ଧକ ହଟାଇ ନାହାନ୍ତି । କଟକଣାଯୁକ୍ତ ଜିଲ୍ଲା ଭିତରେ ଉଭୟ କଟକ ଓ ଭୁବନେଶ୍ୱର ଆସୁଥିବାରୁ ବାଦାମବାଡ଼ି ଓ ବରମୁଣ୍ଡାକୁ ଆସି ପାରୁନି ବସ୍ । ସେହିଭଳି ଆନ୍ତଃରାଜ୍ୟ ରୁଟ୍‌ରେ ବି ବସ୍ ଚଳାଚଳକୁ ଅନୁମତି ନଥିବାରୁ ଲଙ୍ଗ ରୁଟ୍ ସେବା ମଧ୍ୟ ଆରମ୍ଭ ହୋଇପାରୁନି ।

ଦ୍ୱିତୀୟରେ କରୋନା ସଂକ୍ରମଣକୁ ନେଇ ଆଜି ବି ଲୋକଙ୍କ ମନରୁ ଭୟ ସମ୍ପୂର୍ଣ୍ଣ ଦୂର ହୋଇନି । ତେଣୁ ଲୋକେ ପଦାକୁ ବାହାରିବାକୁ ଏବେ ବି ଡରୁଥିବା ବେଳେ ବସ୍ ଯାତ୍ରାକୁ ସୁରକ୍ଷିତ ମଣୁ ନାହାନ୍ତି । ଏସବୁ ପରେ ତେଲ ଦର ବି ଆକାଶ ଛୁଆଁ । ତେଣୁ ବ୍ୟବସାୟରେ ନିଶ୍ଚିତ କ୍ଷତିକୁ ସାମ୍ନା କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି ଅଧିକାଂଶ ବସ୍ ମାଲିକ । ଏପଟେ ବସ୍ ପାଇଁ ୩ ମାସର ଟିକସ ଛାଡ଼ ହୋଇଛି ଏବଂ ଆଗକୁ ଆଉ କିଛି ପଦକ୍ଷେପ ନେଇ ରାଜ୍ୟ ସରକାର ଯୋଜନା କରୁଥିବା ପରିବହନ ମନ୍ତ୍ରୀ କହିଛନ୍ତି । ଏ ଦୁଇ ସହର କେବଳ ଉଦାହରଣ ମାତ୍ର ପଶ୍ଚିମ ଓଡ଼ିଶାର ରାଉରକେଲା ହେଉ କି ଦକ୍ଷିଣ ଓଡିଶାର ବ୍ରହ୍ମପୁର କିମ୍ବା ଜୟପୁର ଭଳି ପ୍ରମୁଖ ସହର, ସବୁଠି ବସ୍ ସେବାକୁ ନେଇ ଅଚଳାବସ୍ଥା ଲାଗି ରହିଛି । ଆଗକୁ ଏ ସେବା କେବେ ସ୍ୱାଭାବିକ ହେବ, ତାହା ଅନିଶ୍ଚିତତା ଭିତରେ ରହିଛି ।

Other Stories