ବଢ଼ୁଛି ଅଦା ଚାଷୀଙ୍କ ଅସନ୍ତୋଷ : ୧୦୦ ଟଙ୍କାରେ ବିହନ କିଣି ୧୦ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ

ଧାର୍ଯ୍ୟ ହେଉନି ଏମଏସପି, ଶୀତଳ ଭଣ୍ଡାର ନିର୍ମାଣ ଦାବି

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ରୋଜଗାର ବୃଦ୍ଧି ଓ ଅଧିକ ଲାଭକୁ ଲକ୍ଷ୍ୟ ରଖି କୋରାପୁଟ ଜିଲ୍ଲାର ଚାଷୀ ଅଦା ଚାଷ କରିଥିଲେ । ଏଠାକାର ମାଟି ଅଦା ଚାଷ ପାଇଁ ଉପକୂଳ ହୋଇଥିବାରୁ ଏଠାରେ  ଅଦା ଚାଷ କରାଯାଏ । ଅଦା ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ କୌଣସି ବଜାର ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଅଦା ଚାଷୀ । ଅଧିକ ଟଙ୍କାରେ ଅଦା ବିହନ କିଣୁଥିବା ବେଳେ କମ୍ ଦାମରେ ବଜାରରେ ବିକ୍ରି ହେଉଥିବାରୁ କ୍ଷତି ସହିବାକୁ ପଡୁଛି । ଫଳରେ ବଜାର ବ୍ୟବସ୍ଥା କରି ଏକ ନିର୍ଦ୍ଦିଷ୍ଟ ଦାମ୍ ଧାର୍ଯ୍ୟ କରିବାକୁ ଦାବି କରିଛନ୍ତି ଅଦା ଚାଷୀ ।

କ୍ଷେତରେ ହସୁଛି ଚାଷୀର ଫସଲ । ଘରେ ବାହାରେ ସବୁଆଡେ ଅଦା ଭର୍ତ୍ତି । ଚଳିତବର୍ଷ ଉପଯୁକ୍ତ ପାଣିପାଗ ଯୋଗୁଁ କୋରାପୁଟ ଜିଲ୍ଲାରେ ଅଦା ଚାଷ ଭଲ ହୋଇଛି । ପଟାଙ୍ଗୀ, ସେମିଳିଗୁଡା, ନନ୍ଦପୁର, ଲମତାପୁଟ ଭଳି ୧୦ଟି ବ୍ଲକରେ ହଜାର ହଜାର ହେକ୍ଟର ଜମିରେ ଭଲ ଅଦା ଚାଷ କରିଛନ୍ତି  ଚାଷୀ  । ହେଲେ ନିଜ ବର୍ଷ ତମାମର ପରିଶ୍ରମର ଫଳକୁ ଦେଖି ଚାଷୀଙ୍କ ମନରେ ହରସ ନାହିଁ । କାରଣ ଜିଲ୍ଲାରେ ଅଦା ଚାଷୀଙ୍କ ପାଇଁ କୌଣସି ପ୍ରକାର ବଜାର ବ୍ୟବସ୍ଥା ନଥିବାବେଳେ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଦାମ୍ ଧାର୍ଯ୍ୟ ହୋଇନାହିଁ  । ଏପରିକି ଜିଲ୍ଲାରେ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା ନଥିବାରୁ ଶାଗ ମାଛ ଦରରେ ବାହାର୍ ରାଜ୍ୟ ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ୧୦୦ଟଙ୍କା ଦେଇ ଅଦା ବିହନ କିଣି ଅମଳ ପରେ ୮ରୁ ୧୦ ଟଙ୍କା କିଲୋ ପିଛା ବିକି ଦେଉଥିବା ଚାଷୀ କହିଛନ୍ତି ।

ପ୍ରତିବର୍ଷ ଜିଲ୍ଲାରେ ହେକ୍ଟର ପିଛା ୧୮୦ରୁ ୧୯୦ କ୍ୱିଂଟାଲ ଅଦା ଅମଳ କରାଯାଉ ଥିବାବେଳେ ମୋଟରେ ୪୮ହଜାର ମେଟ୍ରିକ ଟନ ଅଦା ଅମଳ ହେଉଛି । ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି ଉପଯୁକ୍ତ ବଜାର୍ ଅଭାବ ଓ ଶୀତଳ ଭଣ୍ଡାର । ସେପଟେ, ସେମିଳିଗୁଡାଠାରେ ଅଦାର ପ୍ରୋସେସିଂ ପ୍ଲାଂଟର କାମ ଆରମ୍ଭ କରାଯାଇଥିବା ବେଳେ ଶୀଘ୍ର ଅଦା ଚାଷୀଙ୍କ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ଉଦ୍ୟାନ କୃଷି ନିର୍ଦ୍ଦେଶକ । ଅନ୍ୟପଟେ, ଓରମାସର ପ୍ରକଳ୍ପ ସଂଯୋଜକଙ୍କ କହିବା କଥା ଅଦା ସଫା ଓ ପ୍ରକ୍ରିୟାକରଣ ପାଇଁ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଛନ୍ତି । ସ୍ଲାଇସ ଡ୍ରାଏ ଜିଞ୍ଜର ମାର୍କେଟିଂ କରୁଥିବା କମ୍ପାନୀ ସହିତ ଆଲୋଚନା ମଧ୍ୟ ଚାଲିଛି । ଖୁବଶୀଘ୍ର ଅଦା ଚାଷୀ ଲାଭବାନ ହେବେ ।

 

You might also like