ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ  ଶାସକ ଦଳର ବିରାଟ ସମରସଜ୍ଜାକୁ ନେଇ ଚର୍ଚ୍ଚା

ରାଇରଙ୍ଗପୁର: ଏହା ଗୋଟିଏ ଜିଲ୍ଲା ପରିଷଦ ଉପନିର୍ବାଚନ, ହେଲେ ପ୍ରଚାର କିନ୍ତୁ କୌଣସି ବିଧାନସଭା ନିର୍ବାଚନଠୁ କମ୍ ନୁହଁ। ଆସନ୍ତା ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ଉପ ନିର୍ବାଚନ ପାଇଁ ସ୍ଥାନୀୟ ରାଜନୀତିରେ ସରଗରମ ପରିବେଶ। ଏଥିରେ ନିଜର ପତିଆରା ଦେଖାଇବା ପାଇଁ ଆଣ୍ଠୁଗଣ୍ଠି ଲଗାଇ ଦେଇଛି ଶାସକ ବିଜେଡି।

ଜିଲ୍ଲା ପରିଷଦ ଉପନିର୍ବାଚନ ହୋଇଥିଲେ ବି ରାତି ଦିନ ଏକ କରିଦେଇଛନ୍ତି ବିଜେଡିର ମାଳ ମାଳ ବିଧାୟକ ଏବଂ ସାଂସଦ। ମାତ୍ର ୨୩ ହଜାର ଭୋଟ ପାଇଁ ଡର୍ଜନେ ତୁଙ୍ଗ ନେତାଙ୍କ ଉପସ୍ଥିତିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।

୬ ତାରିଖରେ ଉପ ନିର୍ବାଚନ। ଏଥିପାଇଁ କମ୍ପୁଛି ବିଜାତଳାର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍। କେତେବେଳେ ବିଜେଡିର ଷ୍ଟାର ପ୍ରଚାରକ ତ ଆଉ କେତେବେଳେ ମାଳ ମାଳ ବିଧାୟକ ଓ ସାଂସଦ। ସମ୍ମାନ ଆଉ ପତିଆରା ପାଇଁ ଉପ ନିର୍ବାଚନୀ ମୈଦାନରେ ଭିଡ଼ ଜମାଉଛନ୍ତି ଏକାଧିକ ହେଭିୱେଟ୍।

by electionଗତ ନିର୍ବାଚନରେ ଏହି ଆସନରେ ପରାଜିତ ହୋଇଥିଲା ବିଜେଡି। ତେଣୁ ୫ଟି ପଞ୍ଚାୟତ ବିଶିଷ୍ଟ ଏହି ଆସନକୁ ଏଥର ହାତଛଡ଼ା କରିବାକୁ ଚାହୁଁନି ଦଳ। କଳେବଳେ କୌଶଳେ ଦଳୀୟ ପ୍ରାର୍ଥୀ ରଘୁନାଥ ମାଝୀଙ୍କୁ ଜିତାଇବାକୁ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ୩ ସାଂସଦ ଏବଂ ୮ ବିଧାୟକ ବିଜାତଳାରେ ଦମ୍ ଲଗାଇ ଦେଇଥିବା ଦେଖିବାକୁ ମିଳୁଛି।

୩୨ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ଛୋଟରାୟ ମାରାଣ୍ଡିଙ୍କ ବିୟୋଗ ପରେ ଏହି ଆସନ ପାଇଁ ଚାଲିଛି ଉପ ନିର୍ବାଚନ। ବିଜାତଳା, ମୁଣ୍ଡାଠାକୁରା, ବଣକାଟି, ରାଇହରି ଏବଂ ଲୁହାଶିଳା ପଞ୍ଚାୟତର ୨୩ ହଜାର ୧୧୯ ଜଣ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାର୍ଥୀଙ୍କର। ରଘୁନାଥ ମାଝୀ (ବିଜେଡି), କୁତୁଲ ହାଁସଦା (ବିଜେପି), ସୁଦର୍ଶନ ମୁର୍ମୁ (କଂଗ୍ରେସ) ଏବଂ ମୀନା ସୋରେନ୍‌ (ଜେଏମ୍ଏମ୍)  ଉପନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି।

୨୦୧୭ରେ ଅନୁଷ୍ଠିତ ନିର୍ବାଚନରେ ୩୨ ନମ୍ବର ଜୋନକୁ ବିଜେପି ଦଖଲ କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଜେଏଏମ୍, ତୃତୀୟ ସ୍ଥାନରେ ବିଜେଡି ଏବଂ ଚତୁର୍ଥରେ ରହିଥିଲା କଂଗ୍ରେସ। ଏଥର କିନ୍ତୁ ପଟ୍ଟ ପରିବର୍ତ୍ତନର ସମ୍ଭାବନା ଥିବାବେଳେ ବିଜେପି, କଂଗ୍ରେସ ଏବଂ ଜେଏମ୍ଏମ୍ ନିଜ ନିଜର ବିଜୟକୁ ନେଇ ଆଶାବାଦୀ ଅଛନ୍ତି।

ଏହି ଉପ ନିର୍ବାଚନ ପାଇଁ ଆଜି ପ୍ରଚାର ସରିଛି। ୬ରେ ଭୋଟଗ୍ରହଣ। ତେବେ ଗୋଟିଏ ଉପ ନିର୍ବାଚନ ପାଇଁ ବିଜେଡିର ଏତେ ନେତାଙ୍କ ଉପସ୍ଥିତିକୁ ନେଇ ସାଧାରଣରେ କୌତୁହଳ ପ୍ରକାଶ ପାଇଛି।

You might also like