ରାଜ୍ୟର ୧୬ଟି ଜିଲ୍ଲାରେ ୩ ଦିନ ପାଇଁ ଘନ କୁହୁଡ଼ି
ଆଜିଠାରୁ ରାଜ୍ୟରେ କୁହୁଡ଼ିଆ ପାଗ, ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଘନ କୁହୁଡ଼ି । ରାସ୍ତାଘାଟ ଜୁଆଡ଼େ ଦେଖିବ କୁହୁଡ଼ିରେ ଭର୍ତ୍ତି । ଘନ କୁହୁଡ଼ି ପାଇଁ ରାସ୍ତାଘାଟ ମଧ୍ୟ ଦେଖଯାଉନି । ଆସନ୍ତା ୩ ଦିନ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ସକାଳୁ ସକାଳୁ ଦେଖିବାକୁ ମିଳିବ ଘନ କୁହୁଡ଼ି । ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ୧୬ଟି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିବ । ସେଥି ମଧ୍ୟରୁ ୬ଟି ଜିଲ୍ଲା ଯଥା କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂପୁର ଏବଂ ଭଦ୍ରକରେ ଘନ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ପାଇଁ ଏହି ୬ଟି ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଂ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସ୍ୱତନ୍ତ୍ର ରିଲିଫ କମିସନର, ସବୁ ଜିଲ୍ଲାପାଳ ଓ ଜିଲ୍ଲା ଏସ୍ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଆଜି ନୁହେଁ, ବୁଧବାର ସକାଳ ଯାଏଁ ଏସବୁ ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ବିଭାଗ କହିଛି । ତେବେ କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳନ ନିୟନ୍ତ୍ରଣ କରିବା ଜରୁରୀ । ଆଉ ଏଥି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ରାଜ୍ୟ ସାରା ଜାରି ରହିଛି ଶୀତର ଲହରି । ଖସୁଛି ପାରଦ, ବଢ଼ୁଛି ଶୀତ । ଜାଡ଼ରେ ଥରହର ହେଉଛି ସାରା ଓଡ଼ିଶା । ଅସହ୍ୟ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ଡାର ପ୍ରକୋପ ଅଧିକ ଅନୂଭତ ହେଉଛି । ଗଜପତି ଜିଲ୍ଳା ଉପାନ୍ତ ଅଂଚଳରେ ଅସହ୍ୟ ଶୀତ ଅନୁଭୂତ । ଫଳରେ ସାଧାରଣ ଜୀବନ ଯାତ୍ରା ବେଶ ପ୍ରଭାବିତ ହେଉଛି । ଘରୁ ପଦାକୁ ଗୋଡ଼ କାଢ଼ିବାକୁ ଡର ଲାଗୁଛି । ଲୋକେ ଶୀତ ଦାଉରୁ ରକ୍ଷା ପାଇବା କିଏ ବ୍ୟାୟମ କରୁଛି ତ ଆଉ କିଏ କିଏ ନିଆଁ ପୋଉଁଛନ୍ତି । ଘନ କୁହୁଡି ଯୋଗୁଁ ଯାନବାହନ ଚଳାଚଳରେ ବାଧା ଉପୁଜିଛି । ଅନ୍ୟପଟେ ରାଜ୍ୟରେ ଶୀତ ଜାରି ରହିଥିବା ବେଳେ ଶୀତବସ୍ତ୍ରର ଚାହିଦା ବୃଦ୍ଧି ପାଇଛି । ଚାରିଆଡ଼େ ଶୀତବସ୍ତ୍ରର ପସରା । ଶୀତ ବଢ଼ୁଥିବା ବେଳେ ଶୀତ ବସ୍ତ୍ର ବଜାରରେ ଲୋକଙ୍କ ଭିଡ଼ ଜମୁଛି ।