ବଢ଼ିବାରେ ଲାଗିଛି ଡେଙ୍ଗୁ ଅାତଙ୍କ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରେ ବଢ଼ିବାରେ ଲାଗିଛି ଡେଙ୍ଗୁ ଅାତଙ୍କ। ସରକାରୀ ରିପୋର୍ଟ ଅନୁସାରେ ମାତ୍ର ୬ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଚିହ୍ନଟ ହୋଇଥିଲେ ମଧ୍ୟ ପ୍ରକୃତରେ ଗାଁର ପ୍ରାୟ ୩୦ ଜଣ ଡେଙ୍ଗୁ ଅାକ୍ରାନ୍ତ ହୋଇଥିବା ଲୋକେ କହୁଛନ୍ତି।
ଗତକାଲି ୯୪ଜଣଙ୍କ ରକ୍ତ ନମୁନା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରୀକ୍ଷା ପାଇଁ ପଠାଯାଇଛି। ଅାସନ୍ତାକାଲି ଏହାର ରିପୋର୍ଟ ଅାସିଲେ ସ୍ଥିତି ସ୍ପଷ୍ଟ ହେବ। ଏବେ ସୁଦ୍ଧା ଚିହ୍ନଟ ହୋଇଥିବା ୬ ଡେଙ୍ଗୁ ଅାକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ବିଶାଖାପାଟଣାରେ ଓ ଜଣେ ଭବାନୀପାଟଣାରେ ଚିକିତ୍ସିତ ହେଉଛନ୍ତି।
ଅାଉ କିଛି ରୋଗୀ ରାଜ୍ୟ ବାହାରେ ବିଶାଖାପାଟଣା, ହାଇଦ୍ରାବାଦ ଓ ଛତିଶଗଡ଼ ରାୟପୁରରେ ଚିକିତ୍ସିତ ହେଉଛନ୍ତି। ଏପଟେ ଡେଙ୍ଗୁ ମୁକାବିଲା ପାଇଁ ଗାଁରେ ମଶାମରା ଔଷଧ ସିଞ୍ଚନ ସହ ସ୍ୱାସ୍ଥ୍ୟ କର୍ମୀମାନେ ଘରଘର ବୁଲି ତଦାରଖ କରୁଛନ୍ତି ତେବେ ଗାଁରେ ବିପର୍ଯ୍ୟସ୍ତ ପରିମଳ ଓ ଡ୍ରେନେଜ୍ ବ୍ୟବସ୍ଥା, ଲୋକଙ୍କ ଚିନ୍ତା ବଢାଇଛି।