ସାଂଘାତିକ ରୂପ ନେଲାଣି ଡେଙ୍ଗୁ
କଳାହାଣ୍ଡି : ସାଂଘାତିକ ରୂପ ନେଲାଣି କଳାହାଣ୍ଡି ଜିଲ୍ଳାରେ ଡେଙ୍ଗୁ। ଗତ କିଛି ଦିନ ମଧ୍ୟରେ ଜିଲ୍ଲାରେ ଅାତଙ୍କ ଖେଳାଇଛି ଡେଙ୍ଗୁ । ଅାଜି କୋକସରା ବ୍ଲକ୍ ଲଡ଼ୁଗାଁରେ ପୁଣି ୧୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ଗତକାଲି ଲଡ଼ୁ ଗାଁରୁ ସଂଗୃହୀତ ହୋଇଥିଲା ୯୪ଟି ରକ୍ତ ନମୂନା। ସେଥିରୁ ୧୮ଟି ରିପୋର୍ଟ ପଜିଟିଭ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୧ ରକ୍ତ ନମୂନା ମଧ୍ୟରୁ ୬ଟି ପଜିଟିଭ୍ ଥିଲା। ବର୍ତ୍ତମାନ ଯାଏ ଜିଲ୍ଲାରେ ୨୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଅାହୁରି ୩୦ ଜଣଙ୍କ ରକ୍ତ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି। କିଛି ଡେଙ୍ଗୁ ରୋଗୀ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅାଉ କିଛି ରାଜ୍ୟ ବାହାରେ ବିଶାଖାପାଟଣା, ହାଇଦ୍ରାବାଦ ଓ ଛତିଶଗଡ଼ ରାୟପୁରରେ ଚିକିତ୍ସିତ ହେଉଛନ୍ତି।
ଏପଟେ ଡେଙ୍ଗୁ ମୁକାବିଲା ପାଇଁ ଗାଁରେ ମଶାମରା ଔଷଧ ସିଞ୍ଚନ ସହ ସ୍ୱାସ୍ଥ୍ୟ କର୍ମୀମାନେ ଘରଘର ବୁଲି ତଦାରଖ କରୁଛନ୍ତି। ତେବେ ଗାଁରେ ବିପର୍ଯ୍ୟସ୍ତ ପରିମଳ ଓ ଡ୍ରେନେଜ୍ ବ୍ୟବସ୍ଥା, ଲୋକଙ୍କ ଚିନ୍ତା ବଢାଇଛି।