ଭୁବନେଶ୍ୱର: ଦିନକୁ ଦିନ କାୟା ବିସ୍ତାର କରୁଛି ଡେଙ୍ଗୁ। ବେଳକୁ ବେଳ ଅସମ୍ଭାଳ ହେଉଛି ସ୍ଥିତି। ୪ ଦିନ ତଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ମାତ୍ର ୬, ଏବେ ଏହା ପହଞ୍ଚିଛି ୫୭ରେ। କୋକସରା ବ୍ଲକ୍‌ର ଲଡୁଗାଁରୁ କ୍ରମେ ଏହି ଭୂତାଣୁ ଆଏଁଲି, ଓଲମା ଓ ଫୁପଗାଁ ଆଦି ଅଞ୍ଚଳକୁ ବ୍ୟାପିଛି। ସ୍ଥିତି ବିଗିଡ଼ିବା ପରେ ଏବେ ଆକ୍ସନ ମୋଡ୍‌କୁ ଆସିଛି ଜିଲ୍ଲା ପ୍ରଶାସନ।

ପ୍ରଭାବିତ ଅଞ୍ଚଳରେ ଜୋରସୋରରେ ଆରମ୍ଭ ହୋଇଛି ଅଳିଆ ଓ ଆବର୍ଜନା ସଫେଇ କାମ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତି ପଞ୍ଚାୟତରେ ସଫେଇ ସାଙ୍ଗକୁ ପ୍ରତି ଗଳି କନ୍ଦିରେ ମଶା ମରା ଔଷଧ ସ୍ପ୍ରେ କାମକୁ ତ୍ୱରାନ୍ୱିତ କରାଯାଇଛି। କଳାହାଣ୍ଡି ପରି ସମ୍ବଲପୁର ଓ ଗଜପତି ଜିଲ୍ଲାକୁ ବି ବ୍ୟାପିଛି ଡେଙ୍ଗୁ।

ସବୁଠୁ ଉଦ୍‌ବେଗଜନକ ସ୍ଥିତି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ। ଏଠାରେ ଆଜି ସୁଦ୍ଧା ରାଜ୍ୟର ସର୍ବାଧିକ ୩୭୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ।

ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ୭ ଜଣ ଡେଙ୍ଗୁ ରୋଗୀ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ଗଜପତି ଜିଲ୍ଲା ସିଙ୍ଗିପୁର ଗାଁରେ ଡେଙ୍ଗୁ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଓ ସନ୍ଦିଗ୍ଧଙ୍କ ରକ୍ତ ପରୀକ୍ଷା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ୭ ହଜାର ୫୨୧ଙ୍କ ରକ୍ତ ନମୂନା ପରୀକ୍ଷା ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୨୧୭ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି।

Other Stories