କୋକସରାରେ ଡେଙ୍ଗୁ ଆତଙ୍କ: ୯୪ଟି ରକ୍ତ ନମୂନାରୁ ୧୮ଟି ରିପୋର୍ଟ ପଜିଟିଭ୍
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡ଼ୁଗାଁରେ ଡେଙ୍ଗୁ ସାଂଘାତିକ ରୂପ ନେଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି।
ଗତ ଶୁକ୍ରବାର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରୀକ୍ଷା ପାଇଁ ପଠାଯାଇଥିବା ୯୪ଟି ରକ୍ତ ନମୂନାରୁ ୧୮ଟି ରିପୋର୍ଟ ପଜିଟିଭ୍ ଆସିଛି। ପୂର୍ବରୁ ମଧ୍ୟ ୬ଜଣଙ୍କର ରକ୍ତ ନମୂନାରୁ ଡେଙ୍ଗୁ ପଜିଟିଭ୍ ବାହାରିଥିଲା। ତେଣୁ ସରକାରୀ ହିସାବରେ ଲଡ଼ୁଗାଁରେ ଏବେ ସୁଦ୍ଧା ମୋଟ ୨୪ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆହୁରି ୬୦ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି।
କିଛି ଡେଙ୍ଗୁ ଆକ୍ରାନ୍ତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକାଂଶ ରୋଗୀ ରାଜ୍ୟ ବାହାରେ ବିଶାଖାପାଟଣା, ହାଇଦ୍ରାବାଦ ଓ ଛତିଶଗଡ଼ ରାୟପୁରରେ ଚିକିତ୍ସିତ ହେଉଛନ୍ତି।
ସେପଟେ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଧର୍ମଗଡ଼ ଉପଜିଲ୍ଲାପାଳ ଗାଁକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସେଠାରେ ପ୍ରାୟ ୧୫ଟି ରାଇସ୍ ମିଲ୍ ଥିବାରୁ ସେଥିରୁ ନିର୍ଗତ ପାଣି ଜମା ହୋଇ ମଶାବଂଶ ବୃଦ୍ଧିରେ ସହାୟକ ହେଉଥିବା ଅଭିଯୋଗ ହୋଇଛି।