ମାଲକାନଗିରି : ପ୍ରସୂତି, ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ନିମନ୍ତେ ପ୍ରଣୟନ ହେଉଛି ବହୁ ଯୋଜନା। ସେମାନଙ୍କୁ ମେଡିକାଲରେ ପହଞ୍ଚାଇବା ନିମେନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା ସହ ମାଗଣା ପ୍ରସବର ବ୍ୟବସ୍ଥା କରାଯାଇଛି। ଏହାଛଡା ସେମାନଙ୍କୁ ମମତା ଯୋଜନାରେ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଉଛି। ଏହାସତ୍ତ୍ୱେ ଉପାନ୍ତ ଅଞ୍ଚଳରେ ଆଜି ବି ଗର୍ଭବତୀ ଭାରରେ ବୁହା ହେବା ପରି ଘଟଣା ନିୟମିତ ଭାବେ ଦେଖିବାକୁ ମିଳୁଛି। ଏଭଳି ଲଜ୍ଜାଜନକ ଏକ ଘଟଣା ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି ।
ମାଲକାନଗିରି ଜିଲ୍ଲା ନିଲାକାମ୍ବେରୁ ପଞ୍ଚାୟତ ପଡ଼ାଲପୁଟର ସମାରି ଖରା ନାମ୍ନୀ ମହିଳାଙ୍କର ପ୍ରସବ ତାରିଖ ପାଖେଇ ଆସିଥିଲା। ଗୁରୁବାର ସେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ପରିବାର ଲୋକେ ଏହା ଦେଖି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା ।
ଏଣୁ ପରିବାର ଲୋକେ ବାଧ୍ୟ ହୋଇ ପ୍ରସୂତିଙ୍କୁ ୪ରୁ ୫ କିଲୋମିଟର ଭାରରେ ବୋହି ନେଇଥିଲେ । ତେବେ ଆମ୍ବୁଲାନ୍ସ ଆସିବା ପୂର୍ବରୁ ମହିଳା ଜଣକ ରାସ୍ତା କଡ଼ରେ ପ୍ରସବ କରିଥିଲେ । ପରେ ସେଠାରେ ଆମ୍ବୁଲାନ୍ସ ଆସି ପହଞ୍ଚିବାରୁ, ଆଶା ଦିଦିଙ୍କ ସହାୟତାରେ ସମାରିଙ୍କୁ ମେଡିକାଲ ନିଆଯାଇଛି ।