ମାଆଙ୍କ ପରେ ଏବେ ଦୀପାଙ୍କର ଜୀବନ ନେଲା କ୍ୟାନ୍‌ସର

ଭୁବନେଶ୍ୱର: କର୍କଟ ରୋଗ ପାଇଁ ଅକାଳରେ ଝଡ଼ିଗଲେ ଆଲବମ୍ କୁଇନ୍ ଦୀପା ସାହୁ। ୨ ବର୍ଷରୁ ଅଧିକ ସମୟ ଧରି କର୍କଟ ସହ ନିରବଚ୍ଛିନ୍ନ ଲଢେଇ ପରେ ୩୮ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଓଡ଼ିଶା ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ।

ଅଭିନେତ୍ରୀ ଦୀପା ସାହୁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ବାଲ୍ୟାମ୍ବା ଗାଁରେ ଜନ୍ମଗ୍ରହଣ କରିଥିଲେ। ବାପା ଉଲ୍ଲାସ ସାହୁ ଓ ମାଆ ସ୍ୱର୍ଗତା ମଞ୍ଜୁଲତା ସାହୁ। ପିଲାବେଳୁ ଦୀପା ଢେଙ୍କାନାଳ ସହରର ଜବାହରଚୌକରେ ଥିବା ମାମୁ ଘରେ ରହି ପାଠ ପଢୁଥିଲେ।

ଢେଙ୍କାନାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ପାଠ ପଢୁଥିଲେ। ଛୋଟବେଳୁ ଦୀପା ଓଡ଼ିଶୀ ନୃତ୍ୟରେ ରୁଚି ରଖିଥିଲେ। ଦୀପାଙ୍କୁ ୧୬ ବର୍ଷ ହୋଇଥିବାବେଳେ ମାଆ ମଞ୍ଜୁଲତା କର୍କଟ ରୋଗରେ ପ୍ରାଣ ହରାଇଥିଲେ। ଯାହାକି ତାଙ୍କ ଜୀବନ ସବୁଠୁ ବଡ଼ ଦୁଃଖ ଦେଇଥିଲା।

ନିଜର କଳାକୁ ନେଇ ସେ ବହୁତ ଦୃଢମାନ ଥିଲେ। ନିଜର ଲକ୍ଷ୍ୟକୁ ହାସଲ କରିବା ପାଇଁ ସେ କେବେବି ପଛଘୁଞ୍ଚା ଦେଇନଥିଲେ। ୧୯୯୬ରୁ ଦୀପା ଆଲବମ ଦୁନିଆରେ ପାଦ ଥାପିଥିଲେ।

ମେଡିକାଲ୍‌ରେ ଦୀପାଙ୍କ ଫଟୋ

ଦୀପା ଶହେରୁ ଅଧିକ ଆଲବମ୍‌ରେ ଅଭିନୟ କରିବା ସହ ଫିଲ୍ମ ଓ ଧାରାବାହିକରେ ବି ଅଭିନୟର ଯାଦୁ ଦେଖାଇଥିଲେ। ତାଙ୍କ ଅଭିନୀତ ‘ହାଏ ହାଏ ତୋ ମଲ୍ଲି ଫୁଲ ଗଜରା’, ‘’ତୋର କୃଷ୍ଣ ଚୁଡ଼ା ରଙ୍ଗର ନାଲି ଓଢ଼ଣୀ’’, ‘’ଏକଡା ଏକଡା ରା’’ ଭଳି ଆଲବମ୍ ଗୀତ ଓଡିଆ ଦର୍ଶକଙ୍କ ମଧ୍ୟରେ ଆଜି ବି ଲୋକପ୍ରିୟ ହୋଇରହିଛି। ସେହିଭଳି ନାରୀ ଆଖିରେ ନିଆଁ, ସୁନା ଚଢ଼େଇ ମୋ ରୂପା ଚଢ଼େଇ ଫିଲ୍ମ ସହ ବହୁ ଓଡ଼ିଆ ଟେଲି ଧାରାବାହିକରେ ବି ଅଭିନୟ କରିଥିଲେ ଦୀପା। ତାଙ୍କ ମୃତ୍ୟୁରେ  ଆଲବମ୍ ଜଗତରେ ଅପୂରଣୀୟ କ୍ଷତି ଘଟିଛି।

ପରେ ମଣୀନ୍ଦ୍ର ଦତ୍ତଙ୍କୁ ବିବାହ କରିଥିଲ। ତାଙ୍କର ୧୧ ବର୍ଷର ଝିଅ ରହିଛି। ତାଙ୍କର ମୃତ୍ୟୁରେ ନିରବି ଯାଇଛି ସିନେ ଜଗତ, ପ୍ରଶଂସକ ଓ ତାଙ୍କ ଜନ୍ମସ୍ଥାନ ଢେଙ୍କାନାଳ। କେତେ ନିଷ୍ଠୁର ଏଇ ଦଇବ। ମା’ର ମୃତ୍ୟୁ ପରେ କମ୍ ବୟସରେ ଚାଲିଗଲା ଦୀପାଙ୍କ ଜୀବନ।

You might also like