ଗଭୀର ଅବପାତ ଘୂର୍ଣ୍ଣିଝଡ଼ ରୂପ ନେଲା, ଆଜିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଉପରେ ସୃଷ୍ଟ ଲଘୁଚାପ ଅବପାତରୁ ଗଭୀର ଅବପାତ ହେବାସହ ଏହା ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେଇଛି। ଏହି ଘୂର୍ଣ୍ଣିଝଡ଼ର ନାଁ ‘ପେଥାଇ’ର ରଖାଯାଇଛି।

ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଗତ ରାତି ସାଢ଼େ ଗୋଟାଏ ସୁଦ୍ଧା ଏହା ଚେନ୍ନାଇରୁ ୫୩୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍‌ଠାରୁ ୬୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା।

ଆଜି ସନ୍ଧ୍ୟା ସୁଦ୍ଧା ଏହା ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବା ସମ୍ଭାବନା ରହିଛି। ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମ୍ ଓ କାକିନଡ଼ା ମଝିରେ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ଆଲର୍ଟ ଜାରି କରାଯାଇଛି।

ଏହାର ପ୍ରଭାବରେ ଆଜିଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବିଶେଷ କରି ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।  ସେହିପରି କାଲି ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପ୍ରବଳ ବର୍ଷା ପରେ ୧୮ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବଢିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

You might also like