ବାତ୍ୟାର ରୂପ ନେଲା ଅବପାତ, କାଲି ସିଭିୟର ସାଇକ୍ଲୋନିକ ଷ୍ଟ୍ରର୍ମରେ ହେବ ପରିଣତ

ଭୁବନେଶ୍ୱର: ବାତ୍ୟାର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଆସନ୍ତା ୧୨ ଘଣ୍ଟାରେ ଏହା ଭୀଷଣ ବାତ୍ୟା ତଥା ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଏହି ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି।

ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିମି ଦୂରରେ ରହିଛି। ଦିଘାର ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୨୦୦ କିମି ଦୂରରେ ରହିଛି ବାତ୍ୟା ଅମ୍ଫାନ। ଆସନ୍ତା ୧୨ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ଅମ୍ଫାନ। ୧୮ ତାରିଖ ସକାଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ଯାଏଁ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଆଡ଼କୁ ମୁହାଁଇବ ବୋଲି ଆଇଏମଡି ଆକଳନ କରିଛି। ଏହାର ପ୍ରଭାବରେ ୧୮ରୁ ୨୦ ଯାଏଁ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି।

ଏଥିରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଥିବାବେଳେ, ମୟୂରଭଞ୍ଜ ଓ ପୁରୀରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।

ତେବେ ବାତ୍ୟା ୨୦ ତାରିଖରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି। ସେପଟେ ବାତ୍ୟା ଅମ୍ଫାନ୍ ଫୋନି ଠାରୁ ସାନ ହେବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିପାରେ। ହେଲେ ଆଉ ଟିକେ ପାଖକୁ ଆସିଲେ ପ୍ରକୃତ କେଉଁଠି ଛୁଇଁବ, କହିହେବ ବୋଲି କହିଛନ୍ତି ଆଇଏମଡି ଡିଜି।

You might also like