ଗାଁ ନ ଛାଡ଼ିଲେ ମୃତ୍ୟୁ ଦଣ୍ଡ!

ଚିତ୍ରକୋଣ୍ଡା: ଯୁଗ ଓ ସମୟର ବଡ଼ ପରିବର୍ତ୍ତନ ଓ ବିଜ୍ଞାନର ଅଗ୍ରଗତି ହୋଇଥିଲେ ବି ଆଜିବି ଅନେକ ଲୋକ ଅନ୍ଧବିଶ୍ୱାସ ଦ୍ୱାରା କବଳିତ। ଆଉ ଏହାର ପରିଣାମ ଏତେ ଭୟଙ୍କର ହୋଇଛି ଯେ ଦୁଇଟି ପରିବାରକୁ ଆଜି ବାସହରା ହେବାକୁ ପଡିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଗାଜଲମାମୁଡ଼ି ପଞ୍ଚାୟତର ତୋଟାଗୁଡା ଗ୍ରାମରେ।

ସୂଚନା ଅନୁଯାୟୀ, ତୋଟାଗୁଡା ଗ୍ରାମରେ ମୋଟ ୩୩ ପରିବାର ରହୁଛନ୍ତି। କିନ୍ତୁ ଉକ୍ତ ଗ୍ରାମରେ ରହୁଥିବା ବାସୁ ଖିଲ ଓ ସୂତି ଖିଲ ନାମକ ୨ ଭାଇଙ୍କ ପରିବାର ଗୁଣିଗାରେଡ଼ି କରୁଥିବା ଦୀର୍ଘ ଦିନ ହେଲା ସନ୍ଦେହ କରୁଛନ୍ତି ଗ୍ରାମବାସୀ।

ବହୁ ପୂର୍ବରୁ ଗ୍ରାମବାସୀ ଅନ୍ଧ ବିଶ୍ୱାସରେ ଶିକାର ହୋଇ ଉଭୟ ପରିବାର ସଦସ୍ୟଙ୍କୁ ନାନା ନିର୍ଯାତନା ଦେଉଥିଲେ। କିନ୍ତୁ ଚାରିଦିନ ତଳେ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ଏହି ଦୁଇ ପରିବାରର ୨୦ସଦସ୍ୟଙ୍କୁ ଗ୍ରାମ ଛାଡିବାକୁ ଆଦେଶ  ଦେଇଥିଲେ। ତୁରନ୍ତ ଗାଁ ନ ଛାଡ଼ିଲେ ମୃତ୍ୟୁ ଦଣ୍ଡର ଧମକ ଦେବାରୁ ଏକ ଡଙ୍ଗା ସାହାଯ୍ୟରେ ଗ୍ରାମ ଛାଡି ଚିତ୍ରକୋଣ୍ଡାରେ ପହଞ୍ଚିଛନ୍ତି ଏହି ୨ ପରିବାର।

ନିଜ ଘରଦ୍ୱାର, ଜମିପଟା,ଗାଇଗୋରୁ,ଛେଳି, ମେଣ୍ଡା  ଛାଡ଼ି ଆସିଥିବାରୁ ଏବେ ସେମାନେ ପୂରା ଖାଲି ହାତ ହୋଇ ଯାଇଛନ୍ତି। ବିନା ଦୋଷରେ ଦୋଷୀ ହୋଇ ଘରଦ୍ୱାର ଛାଡିବାର  କଷ୍ଟ ଥିବାବେଳେ ସେପଟେ ଦାଉ ସାଧୁଛି କରୋନା କଟକଣା। ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନା ଅଛି ୨ ମୁଠା ଦାନା। ସରକାର କିମ୍ବା ପ୍ରଶାସନ ତରଫରୁ ରହିବା, ଖାଇବାର ବ୍ୟବସ୍ଥା ଓ  ସାହାଯ୍ୟ କରିବାକୁ ଏହି ୨ ପରିବାର ସଦସ୍ୟ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ

You might also like