ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ

ବାରିପଦା(ମାଣିକଲାଲ୍‌ ପାଣି): ବର୍ଷେ ପରେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିଛି। ୨୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ବିଚାର କରି ବାରିପଦା ଏଡିଜେ କୋର୍ଟ ଅଭିଯୁକ୍ତ ଜାମିନୀକାନ୍ତ ମହାନ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

୨୦୧୮ ମସିହାରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ଘଟିଥିଲା ଏପରି ହୃଦୟ ବିଦାରକ ଘଟଣା।  ରଜ ପାଇଁ ପୂରା ଗାଁ ଉତ୍ସବ ମୁଖର ହୋଇଥିଲା। ସେଦିନ ଅଭିଯୁକ୍ତ ଜାମିନୀକାନ୍ତ ସାଇକେଲ୍‌ ଚଳାଇବା ଶିଖାଇବା ପାଇଁ ୮ ବର୍ଷର କୁନି ଝିଅଟିକୁ ଡ଼ାକି ନେଇଯାଇଥିଲେ। ସାଇକେଲ୍‌ ଚଳାଇବା ଶିଖାଇବା ପରିବର୍ତ୍ତେ ଗରୁଡ଼ବସା ଜଙ୍ଗଲକୁ ତାକୁ ଡାକିନେଇ ଦୁଷ୍କର୍ମ କରିବା ପରେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସନ୍ଧ୍ୟାବେଳେ ଜାମିନୀକାନ୍ତ ଘରକୁ ଫେରିଥିଲେ। କିନ୍ତୁ ନାବାଳିକା ଜଣଙ୍କ ଘରକୁ ଫେରିନଥିଲେ। ପରିବାର ଲୋକେ ଝିଅକୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ଅନ୍ୟପକ୍ଷରେ ନାବାଳିକା ଜାମିନୀକାନ୍ତ ସାଙ୍ଗରେ ନେଇ ଯାଉଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ତାଙ୍କୁ ପଚରାଉଚରା କରିଥିଲେ। ସେ କିଛି ଜାଣିନଥିବା କହିଥିଲେ। ତାଙ୍କ କଥା ଉପରେ ଗ୍ରାମବାସୀଙ୍କର ସନ୍ଦେହ ହେବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଏନେଇ ପରିବାର ଲୋକ ପୁଲିସ୍‌କୁ ଜଣାଇଥିଲେ। ପୁଲିସ ମାମଲା ରୁଜୁ କରି ନାବାଳିକାର ମୃତଦେହ ଗାଁର ପାଖ ଗରୁଡ଼ବସା ଜଙ୍ଗଲରୁ ଉଦ୍ଧାର କରିଥିଲା। ଏହି ମାମଲାରେ ଜାମିନୀକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ଷେ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି। କୋର୍ଟ ମାମଲାକୁ ବିଚାର କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

ଏହା ପୂର୍ବରୁ ଜାମିନକାନ୍ତ ଦୁଷ୍ମର୍ମ ଅଭିଯୋଗରେ ଜେଲ୍‌ ଯାଇଥିଲେ। ଜାମିନରେ ଆସି ବେଙ୍ଗାଲୁରୁକୁ କାମ କରିବା ପାଇଁ ଚାଲି ଯାଇଥିଲେ। ରଜରେ ଘରକୁ ଫେରି ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।
You might also like