‘ମୋ ସରକାର’କୁ ବାରମ୍ବାର ଫୋନ୍‌ କରି ନିରାଶ ହେଲେ ପୁଅ: ଡାକ୍ତରଙ୍କ ଅବହେଳା ଯୋଗୁ ଶେଷରେ ମାଆ ଛେଉଣ୍ଡ ହେଲେ

କଟକ: ରୋଗୀଙ୍କୁ ଉତ୍ତମ ସେବା ପାଇଁ ସରକାରୀ ହସିପଟାଲ୍‌ରୁ ଆରମ୍ଭ ହୋଇଥିବା ମୋ ସରକାରର ମୁଖା ଖୋଲିଛି। କଟକ ବଡ ମେଡିକାଲରେ ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁର ସାଂଘାତିକ ଅଭିଯୋଗ ଆସିଛି। ଏପରିକି ଘଟଣା ସଂପର୍କରେ ଛଅ ଛଅ ଥର ମୋ ସରକାର କଲ୍ ସେଣ୍ଟରକୁ ଫୋନ୍ କରି ଗୁହାରୀ ପରେ ବି କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ଯାହାର ଅଡିଓ କ୍ଲିପ୍ ଓଟିଭି ହାତରେ ଲାଗିଛି। ସେପଟେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଥାନାର ଦ୍ୱାରସ୍ଥ ହୋଇଥିଲା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ମହିଳାଙ୍କ ପୁଅ ଜଣକ ଯେତେବେଳେ ‘ମୋ ସରକାର’ ଟିମ୍‌କୁ ଫୋନ୍‌ କଲେ, ସେତେବେଳ ଟିମ୍‌ ପକ୍ଷରୁ କୁହାଗଲା, ଡାକ୍ତର ଯଦି ଶୁଣୁ ନାହାନ୍ତି ତେବେ ମାଙ୍କୁ କଟକ ବଡ଼ ମେଡିକାଲରୁ ଅନ୍ୟ ମେଡିକାଲକୁ ନେଇଯାଅ। ମା ସାବିତ୍ରୀଙ୍କ ଦେହ ଅଧିକ ଖରାପ ହେବାରୁ ସାହାଯ୍ୟ ପାଇଁ ଟୋଲ୍ ଫ୍ରି ନମ୍ବରରେ ଫୋନ୍‌ କରି ନିବେଦନ କରିଥିଲେ ପୁଅ କୃଷ୍ଣଚନ୍ଦ୍ର ସାହୁ। ଥରେ, ଦୁଇଥର ନୁହେଁ – ଗତ ୫ ତାରିଖରୁ ୧୭ ତାରିଖ ଭିତରେ ଛଅ ଛଅ ଥର ଅଭିଯୋଗ କରିଛନ୍ତି କୃଷ୍ଣଚନ୍ଦ୍ର। ହେଲେ ସବୁଥର କେବଳ ଉପରିସ୍ଥ ଅଧିକାରୀଙ୍କ ପାଖକୁ କଲ୍ ଫରଓ୍ୱାର୍ଡ କରାଯିବା ଛଡ଼ା ଫଳ ଶୁନ୍।

ଏପଟେ ଚିକିତ୍ସା ଅଭାବରୁ ରୋଗରେ ଶଢ଼ି ଶଢ଼ି ସାବିତ୍ରୀ ଆଜି ଆଖି ବୁଜିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି କୃଷ୍ଣଚନ୍ଦ୍ର। ଅଭିଯୋଗ ଅନୁଯାୟୀ, ମାନସିକ ରୋଗର ଚିକିତ୍ସା ପାଇଁ ଯାଜପୁର ବଡଚଣାର ସାବିତ୍ରୀଙ୍କୁ ପରିବାର ଲୋକେ ଡିସେମ୍ବର ୨୬ରେ କଟକ ବଡ ମେଡିକାଲେ ଭର୍ତ୍ତି କରିଥିଲେ। ନିରୋଲଜି ବିଭାଗରେ ଆଡମିଶନର ଦୁଇ ଦିନ ପରେ ଡାହାଣ ହାତରେ ସାଲାଇନ ଲାଗିଥିଲା।

୨୮ ତାରିଖରେ ସେହି ହାତ ଫୁଲିବାରୁ ଡାକ୍ତରଙ୍କୁ ଜଣାଇଥିଲେ ସାବିତ୍ରୀଙ୍କ ପୁଅ କୃଷ୍ଣଚନ୍ଦ୍ର। ହେଲେ ଡାକ୍ତର ଶୁଣିଲେନି। ୪ ଦିନ ପରେ ହାତ ବ୍ୟାଣ୍ଡେଜ ହେଲା। ତେବେ ୧୫ ଦିନ ଧରି ଏହା ଆଉ ଖୋଲା ହେଲାନି କି ଔଷଧ ମରାହେଲାନି। ହାତରେ ପୋକ ହେଇଗଲା। ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଅଭିଯୋଗ ହେବାରୁ ୧୭ ତାରିଖରେ ଅପରେସନ୍ କରି ସାବିତ୍ରୀଙ୍କୁ ଆଇସିୟୁରେ ଭର୍ତ୍ତିକଲେ ଡାକ୍ତର। ପରେ ହାତ କାଟିବାକୁ କହିଲେ। ଆଉ ଏସବୁ ଭିତରେ ମୋ ସରକାରକୁ ବାରମ୍ବାର କଲ୍ ସତ୍ତ୍ୱେ ଆଜି ସାବିତ୍ରୀଙ୍କ ଜୀବନ ଗଲା।

ଏପଟେ ଖବର ସାମ୍ନାକୁ ଆସିବା ପରେ ଆଜି ତଦନ୍ତ ପାଇଁ ଏସ୍‌ସିବି ପହଁଞ୍ଚି ତିନିଦିନ ଭିତରେ ଘଟଣା ଉପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ତେବେ କଟକ ବଡ଼ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

ଗାନ୍ଧୀଜୟନ୍ତିରୁ ମେଡିକାଲରେ ମୋ ସରକାରର କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଖୋଦ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଫୋନରେ ସିଧା କଥା ହୋଇ ଆପତ୍ତି ଅଭିଯୋଗ ଶୁଣୁଥିଲେ ମନ୍ତ୍ରୀ। ସଚିବ ବି ଅଭିଯୋଗ ଶୁଣି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୁହାଯାଇଥିଲା। ଆଉ ଏସବୁ ସତ୍ତ୍ୱେ ଯଦି ଏଭଳି ଘଟଣା ଘଟୁଛି, ତାହାଲେ ଏଠି ପ୍ରଶ୍ନ ମୋ ସରକାର କାହାର?

 

You might also like