ଗଜପତି : ଗଜପତି ଜିଲ୍ଲାରେ ଦିନକୁ ଦିନ ସାମ୍ନାକୁ ଅାସୁଛି ତିତ୍ଲି ତାଣ୍ଡବର ନୂଅା ନୂଅା ଲୋମଟାଙ୍କୁରା ଚିତ୍ର। ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ କଇଁପୁର ଓ ଲକ୍ଷ୍ମୀପୁର ପଞ୍ଚାୟତରେ ବି ୧୭ ନିଖୋଜ ମଧ୍ୟରୁ ୮ଟି ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।
ପ୍ରକୃତିର ସନ୍ତାନ ବୋଲାଉଥିବା ଅାଦିବାସୀଙ୍କ ଉପରେ ଅନେକ ଦାଉ ସାଧିଛି ପ୍ରଳୟଙ୍କରୀ ବାତ୍ୟା ତିତ୍ଲି। ଦିନ ଯେତିକି ବିତୁଛି, ଚିତ୍ର ସେତିକି ସ୍ପଷ୍ଟ ହେବାରେ ଲାଗିଛି। ଉପାୟ ଶୂନ୍ୟ ହୋଇ ଅଜଣା ନଈ ପାର ହୋଇ ଘରକୁ ଫେରୁଛନ୍ତି ବାତ୍ୟା ପୂର୍ବରୁ ଗାଁ ଛାଡ଼ି ବାହାରକୁ ଯାଇଥିବା କଇଁପୁର ବାସିନ୍ଦା। କାରଣ ଏଠି ମହେନ୍ଦ୍ରତନୟା ନଦୀ ବାଟ ହୁଡ଼ି ସୃଷ୍ଟି କରିଛି ନୂଅା ଗତିପଥ।
କିଛି ବାଟ ପରେ ରଞ୍ଜାସାହି ଗାଁ । ତାର ଅବସ୍ଥା ମଧ୍ୟ ଜାଣିଲେ ବିଶ୍ୱାସ କରିବେନି । ଜଳ ଜଳ ଦିଶୁଥିଲା ତାଣ୍ଡବର ଲୋମଟାଙ୍କୁରା ଚିତ୍ର । ଅଣଚାଷ ପବନରେ ଛିନ୍ଛତ୍ର ହୋଇଯାଇଛି ପୁରା ଗାଁ । ୫ଦିନ ହେଲାଣି ଖାଡ଼ା ଉପାସରେ ପିଲାଠୁ ବୁଢ଼ା । ଘରେ ଚୂଲି ଜଳୁପାରୁନି। କେମିତି ପିଲାଙ୍କ ମୁହଁରେ ମୁଠେ ଦାନା ପଡିବ ସେଇ ଚିନ୍ତା। ତିତ୍ଲି ବାତ୍ୟାରେ ରାସ୍ତା ଧୋଇ ଯାଇଛି । ଯାତାୟତ ପାଇଁ ଅସୁବିଧା ସୃଷ୍ଟି ହୋଇଛି।
ଲୋକଙ୍କ ଅଭିଯୋଗ ଅନୁସାରେ ବାତ୍ୟା ଓ ବନ୍ୟାରେ କଇଁପୁର ଓ ଲକ୍ଷ୍ମୀପୁର ପଞ୍ଚାୟତରେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ମାଡ଼ା ଗାଁରେ ୯ଜଣଙ୍କ ମଧ୍ୟରୁ ୨ଟି ମୃତଦେହ ମିଳିଛି। ସେହିଭଳି ମାଡଓ୍ୱାରେ ୨, ଅଡାଲିଙ୍ଗିରେ ୨, ସୁଅାବାଲାଙ୍ଗସାହିରେ ୨ ଓ ଅଣ୍ଡରଘାଇରେ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଅାସିଛି।
ଅନେକ ସ୍ଥାନରେ ଗାଁ ଲୋକେ ମୃତଦେହ ଉଦ୍ଧାର କରି ନିଜେ ସତ୍କାର କରି ଦେଇଛନ୍ତି । ଅାତାମପୁର ଗାଁ ଏବେ ବି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି। ରିଲିଫ୍ ଲୋକଙ୍କ ପାଇଁ ଅପହଞ୍ଚ ହୋଇରହିଛି।
ଗଜପତି ଜିଲ୍ଲାର ଗଣ୍ଡାହାତୀରେ ୨ଜଣ, ଲାଇଲାଇରେ ୨ ଓ ମୋହନାରେ ମଧ୍ୟ ୨ ଜଣ ନିଖୋଜ ଥିବା ଖବର ଅାସିଛି।
https://youtu.be/dQHeLrNQ594