ଭୁବନେଶ୍ୱର:ପତ୍ନୀ ଓ ପୁତ୍ରଙ୍କ ସାମ୍ନାରେ କାଠଯୋଡ଼ି ପୋଲରୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତଙ୍କ ମୃତଦେହ ଆଜି ମିଳିଛି। ଗୋବିନ୍ଦପୁର ଥାନା ରହମ୍ବା ନିକଟ ଦେବୀ ନଦୀ କୂଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେବବ୍ରତଙ୍କର ବୋଲି ସ୍ପଷ୍ଟ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍ପି।
ଗତ ୯ ତାରିଖ ନିଆଳି କରଞ୍ଜ ଗାଁର ଦେବବ୍ରତ ମହାପାତ୍ର ବାଇକ୍ରେ କଟକରୁ ନଖରା ଅଭିମୁଖେ ଆସୁଥିଲେ। ସାଥୀରେ ତାଙ୍କର ପତ୍ନୀ ଓ ପୁଅ ଥିଲେ। ହଠାତ୍ ଦେବବ୍ରତ ନିଜ ବାଇକକୁ କାଠଯୋଡ଼ି ପୋଲ ଉପରେ ଠିଆ କରାଇ ଥିଲେ। ପରେ ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ଭରା ନଈକୁ ଡେଇଁ ପଡ଼ିଥିଲେ। ଚାହୁଁ ଚାହୁଁ କାଠଯୋଡିର ପ୍ରଖର ସୁଅରେ ସେ ଭାସି ଯାଇଥିଲେ। ଏପଟେ ନିଜ ଆଖି ସାମ୍ନାରେ ଏହି ଘଟଣା ଦେଖି ହତବାକ୍ ହୋଇ ପଡ଼ିଥିଲେ ପତ୍ନୀ। ଏମିତିକି ସେ ମଧ୍ୟ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ତେବେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ପକାଇଥିଲେ।
ଦୀର୍ଘ ୮ ଦିନ ହେବ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍ ଦେବବ୍ରତଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନ ଥିଲା ।