ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ନେଇ ସାଂଘାତିକ ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହେବା ପରେ ବି ଇଞ୍ଜେକ୍ସନ୍ ସହ ସାଲାଇନ୍ ଲଗାଯାଇଥିବା ଅଭିଯୋ ହୋଇଛି।
ସୂଚନା ମୁତାବକ ,କ୍ଷେତ୍ରମଣି କୁସୁମ ନାମକ ଲଇକେରା ବ୍ଲକ୍ ଜାଲିମାଲ ଗାଁର ଜଣେ ବ୍ୟକ୍ତି କୌଣସି କାରଣରୁ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। କିନ୍ତୁ ଘଣ୍ଟାଏ ଧରି କୌଣସି ଚିକିତ୍ସା ସେବା ଯୋଗାଇ ଦିଆଗଲାନି। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
କଥା ଏତିକିରେ ସରିନି। କ୍ଷେତ୍ରମଣିଙ୍କ ମୃତ୍ୟୁ ପରେ ବି କିଛି ନର୍ସ ଡେଡ୍ବଡ଼ିରେ ଇଂଜେକ୍ସନ ଦେବା ସହ ସାଲାଇନ୍ ଲଗାଇଚାଲିଥିଲେ। ଯାହାର ଏକ ଭିଡ଼ିଓ ସୁଟ୍ କରିଥିଲେ ମୃତକଙ୍କ ଭାଇ।
ତାସହ କାହିଁକି ମୃତ୍ୟୁପରେ ବି ସାଲାଇନ୍ ଏବଂ ଇଂଜେକ୍ସନ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ସୁଦ୍ଧା କେହି କିଛି ଉତ୍ତର ଦେଉନଥିଲେ। ଏହି ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ସେପଟେ ଚିକିତ୍ସା ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ।