ଗୋଟିଏ ହାତରେ ଶିଶୁ, ଅନ୍ୟ ହାତରେ ଶବକୁ କାନ୍ଧ ଦେଲେ ମହିଳା

ମାଲକାନଗିରି: ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ । ଷ୍ଟ୍ରେଚରରେ ଶବକୁ କାନ୍ଧରେ ବୋହି ଘରକୁ ନେଲେ ପରିବାର ଲୋକେ। ସବୁଠାରୁ ହୃଦୟ ବିଦାରକ ଦୃଶ୍ୟ ଥିଲା, ଜଣେ ମହିଳା ଗୋଟିଏ କାଖରେ ଶିଶୁକୁ ଧରି ଥିବାବେଳେ ଅନ୍ୟ କାନ୍ଧ ଦେଇଥିଲେ ଶବକୁ।  ଷ୍ଟ୍ରେଚରରେ ଶବକୁ ଧରି ରାଜରାସ୍ତାରେ ଚାଲିଥିଲେ।  ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ।

ସ୍ଥାନୀୟ ମୁସାକିଗୁଡା ଗାଁର ଜଣେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ।  ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଥିଲା। ମୃତଦେହକୁ ନେବା ପାଇଁ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ।

ହେଲେ ଆମ୍ବୁଲାନ୍ସ ଖରାପ ଦର୍ଶାଇ ମେଡିକାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗାଇ ନ ଥିଲେ। ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଘରୋଇ ଆମ୍ବୁଲାନ୍ସ ମଧ୍ୟ ଭଡ଼ା କରିପାରିନଥିଲେ। ଶେଷରେ ନିରୁପାୟ ହୋଇ ପରିବାର ଲୋକେ ଏକ ଷ୍ଟ୍ରେଚରରେ ଶବକୁ ବୋହି ୨ କିମି ଦୂର ତାଙ୍କ ଗାଁ ମୁସାକିଗୁଡା ନେଇଥିଲେ ।

You might also like