ବେଳାଭୂମିରେ ପଡ଼ିଛି ବିରଳ ଅଲିଭ୍ ରିଡ୍‌ଲେ କଇଁଛଙ୍କ ମୃତଦେହ

 ଢିଲା ସୁରକ୍ଷା ବ୍ୟବସ୍ଥା

ପାରାଦୀପ: ବଂଶ ବିସ୍ତାର ପାଇଁ ଓଡ଼ିଶା ଆସି ଅକାଳ ମୃତ୍ୟୁର ସାମ୍ନା କରୁଛନ୍ତି ବିରଳ ଅଲିଭ୍ ରିଡ୍‌ଲେ କିଇଁଛ । ବିଭିନ୍ନ କାରଣରୁ ରାଜ୍ୟର ବିଭିନ୍ନ ଉପକୂଳରେ ଦୈନିକ କଇଁଛଙ୍କ ମୃତ୍ୟୁ ହେବା ପରିବେଶବିତଙ୍କ ଚିନ୍ତା ବଢ଼ାଇଛି। ତେବେ ପାରାଦୀପରେ ଚାଲୁଥିବା କିଇଁଛ ସୁରକ୍ଷା ଯୋଜନା ଏକ ପ୍ରହସନ ପାଲଟିଛି। ଖାଲି ସୁରକ୍ଷାରେ ବିଫଳତା ନୁହେଁ, ବରଂ କିଇଁଛଙ୍କ ମୃତ୍ୟୁ ପରେ ବି ସେମାନଙ୍କ ଲାଗି ଥିବା ଗାଇଡ୍ ଲାଇନକୁ ବି ଠିକରେ ପାଳନ ହେଉନଥବା ଅଭିଯୋଗ ହୋଇଛି।

ପାରାଦୀପ ବେଳାଭୂମିରେ ମୃତ ଅଲିଭ୍ ରିଡ୍‌ରେଙ୍କ ମୃତଦେହ ଚାରିଆଡ଼େ ପଡ଼ିଛି। କିଇଁଛ କେଉଁଠି କାଉ ତ ଆଉ କେଉଁଠି କୁକୁର ଖାଉଛି। ବିଲୁପ୍ତ ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ପରିବେଶବିତ, ପ୍ରଶାସନ ସବୁ ସ୍ତରରେ ଉଦବେଗ ପ୍ରକାଶ ପାଉଥିଲେ ବି ଏଠି କିନ୍ତୁ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଏଠି କଇଁଛଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉ ନାହିଁ କି ମୃତ୍ୟୁ ପରେ ପାଳନ ହେଉନି ନିୟମ।

ଅଲିଭ୍ ରିଡ୍‌ଲେଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହ ସଂଗ୍ରହ କରି ନମ୍ବରିଂ କରିବା ସହ ଗାଇଡଲାଇନ ମୁତାବକ ମାଟିତଳେ ପୋତିଦେବାର ନିୟମ ରହିଛି। ହେଲେ ଏଠାରେ ସେ ନିୟମ ବି ଠିକରେ ପାଳନ ହେଉନି। ମୃତ୍ୟୁ ପରେ କାରଣ ଜାଣିବାକୁ ବ୍ୟବଚ୍ଛେଦ ବି କରାଯାଉନଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍।

ସମୁଦ୍ର ଭିତରେ ମାଛଧରା ଟ୍ରଲରର ଆଘାତ ଓ ଜାଲରେ ଛନ୍ଦି ହେବା ଯୋଗୁ ଅଲିଭ ରିଡଲେଙ୍କ ମୃତ୍ୟୁ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ଏଥିପାଇଁ ବିଭିନ୍ନ ସମୟରେ ମତ୍ସ୍ୟଜୀବୀଙ୍କୁ ଦାୟୀ କରାଯାଉଛି। ତେବେ ମତ୍ସଜୀବୀମାନେ କିନ୍ତୁ ଏ ଅଭିଯୋଗକୁ ଖଣ୍ଡନ କରିବ ସହ ଏଥିପାଇଁ ବନ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ବୋଟ ମାଲିକ।

You might also like