ସି-ପ୍ଲେନ୍ ଉଡ଼ାଣ ମାମଲା: ସିଡିଏ କର୍ତ୍ତୃପକ୍ଷ କହିଲେ ଏମିତି

ମୁଖ୍ୟମନ୍ତ୍ରୀଙ୍କ ଉଡ଼ାଣର ବି ହେବ ଅନୁଧ୍ୟାନ,

ଭୁବନେଶ୍ୱର: ଚିଲିକା ଉପରେ ସି ପ୍ଲେନ୍‌ ଉଡ଼ାଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ-(ସିଡିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ଚିଲିକା ଉପରେ ଉଡ଼ାଣ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ନାହିଁ। ଏନେଇ ଡିଜିସିଏ ସ୍ପଷ୍ଟ କହିପାରିବେ। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍‌ ଉଡ଼ାଣ ଘଟଣାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍‌ ଉଡ଼ାଣ ଘଟଣା ବର୍ଷକ ତଳର ବୋଲି କୁହାଯାଉଛି। ସେତେବେଳେ ସେ ନଥିଲେ, କିନ୍ତୁ ଏ ବିଷୟରେ ଅନୁଧ୍ୟାନ କରାଯିବ ବୋଲି ସୁଶାନ୍ତ କହିଛନ୍ତି।

ଗତକାଲି ଚିଲିକା ଉପରେ ସି ପ୍ଲେନ୍‌ ଉଡ଼ାଣ ମାମଲାରେ ସନ୍ଦେହ କରି ପୁରୀ ପୁଲିସ୍‌ ବୈଜୟନ୍ତଙ୍କ ହେଲିକପ୍ଟର୍‌ ଓ ହ୍ୟାଙ୍ଗର୍‌କୁ ସିଜ୍ କରିଥିଲା। ତେବେ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟର୍‌ ଉଡ଼ିଛି କି ନାହିଁ ସେନେଇ ଏୟାର୍‌ପୋର୍ଟ କର୍ତ୍ତୃପକ୍ଷ କି ଡିଜିସିଏଙ୍କ ଠାରୁ କୌଣସି ତଥ୍ୟ ମିଳି ନାହିଁ ବୋଲି ପୁରୀ ଏସ୍‌ପି ବିଳମ୍ବିତ ରାତିରେ ପ୍ରେସ୍‌ମିଟ କରି କହିଛନ୍ତି।

ସିଡିଏ କର୍ତ୍ତୃପକ୍ଷଙ୍କ ଏତଲାକୁ ଭିତ୍ତି କରି ହେଲିକପ୍ଟର୍‌ ଓ ହ୍ୟାଙ୍ଗର୍‌ ସିଜ୍‌ କରାଯାଇଛି। ଏୟାର୍‌ପୋର୍ଟ କର୍ତ୍ତୃପକ୍ଷଙ୍କୁ ହେଲିକପ୍ଟର୍‌ ବାବଦ ତଥ୍ୟ ମଗାଯାଇଛି ବୋଲି ଏସ୍‌ପି କହିଛନ୍ତି।

ଅନ୍ୟପଟେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ଫଳରେ ଜୈବ ବିବିଧତା ପ୍ରଭାବିତ ହୋଇନି। କେବଳେ ମତ୍ସ୍ୟଜୀବୀ ଭୟଭୀତ ହୋଇଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି।

ତେବେ ଏ ନେଇ ଥାନାରେ ଏତଲା ଦିଆଯାଇଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

You might also like