ଆବଶ୍ୟକ ପଡ଼ିଲେ ଓଡ଼ିଶାରେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଦିନ ବେଳେ କର୍ଫ୍ୟୁ ନେଇ ବାଚସ୍ପତି କହିଥିବା କଥାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ଦୋହରାଇଛନ୍ତି। ବାଚସ୍ପତିଙ୍କ ପରି ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ସମାନ ମତ ରଖିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆବଶ୍ୟକ ପଡ଼ିଲେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ଶିକ୍ଷାନୁଷ୍ଠାନ, ରେଲ୍‌ୱେ ଷ୍ଟେସନ୍ ଓ ବିମାନବନ୍ଦରରୁ ପଜିଟିଭ୍ ବାହାରିଲାଣି। ଆବଶ୍ୟକ ପଡ଼ିଲେ ରାତ୍ରି କର୍ଫ୍ୟୁ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ କହିଛନ୍ତି, ’ସାରା ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଯେଉଁଠି ଆବଶ୍ୟକ ହୋଇଛି ସେଇଠି ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ଓ ଯେଉଁଠି ଆବଶ୍ୟକ ପଡ଼ିବ ସେଠି ଲାଗୁ ହେବ।‌ ଯଦି କିଛି ପରିସ୍ଥିତି ଆସେ, ତା’ହେଲେ ଦିନ ବେଳେ କର୍ଫ୍ୟୁ ଲାଗୁ କରିବା ପାଇଁ ସରକାର ବାଧ୍ୟ ହେବେ। ନଚେତ୍‌ କର୍ଫ୍ୟୁ ଲାଗୁ କରିବାର କୌଣସି ଆବଶ୍ୟକତା ନାହିଁ। ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ। ବିନା କାରଣରେ ପଡ଼ୋଶୀ ରାଜ୍ୟକୁ ଗସ୍ତ କରନ୍ତୁ ନାହିଁ। ଲୋକମାନେ କୋଭିଡ୍‌ ନିୟମକୁ ଠିକ୍‌ ଭାବରେ ପାଳନ କଲେ କରୋନା ନିୟନ୍ତ୍ରଣ ହୋଇପାରିବ।

ରାଜ୍ୟରେ କରୋନା ସ୍ଥିତିକୁ ନେଇ ବାଚସ୍ପତି କହିଥିଲେ, ‘ବର୍ତ୍ତମାନ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଅତି ଭୟଙ୍କର ଭାବେ ଆସୁଛି। ବିଭିନ୍ନ ରାଜ୍ୟରେ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ବର୍ତ୍ତମାନ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଛି। ହୁଏତ ଆଉ ୪/୫ ଦିନ ମଧ୍ୟରେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଅନୁଧ୍ୟାନ କରୁଛନ୍ତି। ଏଭଳି କ୍ଷେତ୍ରରେ ପ୍ରତ୍ୟେକ ଲୋକ କରୋନା ଗାଇଡ୍‌ଲାଇନ୍‌ ପାଳନ କରିବା ନିହାତି ଜରୁରୀ।’

ଏନେଇ ଗଣମାଧ୍ୟମରେ ରିପୋର୍ଟ ପରେ ଏସ୍‌ଆର୍‌ସି ଟ୍ୱିଟ୍‌ କରି ଡେ’ କର୍ଫ୍ୟୁର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଲୋକମାନେ କୋଭିଡ୍ ନିୟମ ମାନିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୩ ନୂଆ ମାମଲା ସାମ୍ନାକୁ ଆସିଛି।

ପଢ଼ନ୍ତୁ: ଆଜିଠୁ ଓଡ଼ିଶାର ୧୦ ଜିଲ୍ଲାରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

You might also like