ସଡ଼କ ଦୁର୍ଘଟଣା ବୃଦ୍ଧିକୁ ନେଇ ବଢ଼ୁଛି ଚିନ୍ତା

କଟକ: କଟକ ବସ୍ ଟ୍ରାଜେଡି ପରେ ଏବେ ବଡ଼ ଚିନ୍ତା, କେମିତି କମିବ ସଡ଼କ ଦୁର୍ଘଟଣା ? ଦିନକୁ ଦିନ ରାସ୍ତାରେ ଗାଡ଼ି ସଂଖ୍ୟା ବଢୁଥିବା ବେଳେ ସେହି ଅନୁପାତରେ ଦୁର୍ଘଟଣା ମଧ୍ୟ ବଢ଼ି ଚାଲିଛି। ରାଜ୍ୟରେ ଦୈନିକ ପ୍ରାୟ ୧୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି।

କଟକ ବସ୍ ଟ୍ରାଜେଡିର ୨୪ ଘଣ୍ଟା ମଧ୍ୟରେ ଆଉ ୪ଟି ବଡ଼ ଦୁର୍ଘଟଣା ଘଟି ଯାଇଛି। ଯେଉଁଥିରେ ୪ଜଣଙ୍କ ମୁଣ୍ଡ ଗଡ଼ିଛି। ଜଗତ୍ସିଂହପୁର ଜିଲ୍ଲା ଚାରିପୋଲିଆ, ବାଲେଶ୍ୱର ଜିଲ୍ଲା ହଳଦୀପଦା ବାଇପାସ୍, ସିମୁଳିଆ ମଇତାପୁର ଛକ ଓ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଓ ଲହୁଣିପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ପରିସଂଖ୍ୟାନ କହୁଛି ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ପ୍ରତିଦିନ ୧୨ ଜଣଙ୍କ ଜୀବନ ଯାଉଛି। ୨୦୦୮ରୁ ୨୦୧୮ ମଧ୍ୟରେ ରାସ୍ତା ଦୁର୍ଘଟଣାରେ ୪୩ ହଜାର ୩୧୨ ଜଣଙ୍କ ଅକାଳ ବିୟୋଗ ଘଟିଛି। ଏହି ସମୟ ଭିତରେ ୬୧ ହଜାର ୮୮୪ଜଣ ଗୁରୁତର ଆହତ ହୋଇଥିବାବେଳେ ପ୍ରାୟ ୫୮ ହଜାର ଲୋକ ଆହତ ହୋଇଛନ୍ତି।

ସଡ଼କ ଦୁର୍ଘଟଣାର ଏଭଳି ଦ୍ରୁତ ଅଭିବୃଦ୍ଧିକୁ ରୋକିବାକୁ ହେଲେ ଡ୍ରାଇଭରଙ୍କୁ ସଚେତନ ଓ ଆଇନ୍‌ ଉଲ୍ଲଘଂନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକ କହିଛନ୍ତି।

ସେହିଭଳି ରାସ୍ତାରେ ଗାଈ-ଗୋରୁ, ବୁଲା କୁକୁରମାନେ ମଧ୍ୟ ଆକସ୍ମିକ ଦୁର୍ଘଟଣାର କାରଣ ସାଜୁଛନ୍ତି।

ରାଜ୍ୟରେ ବଢ଼ୁଥିବା ସଡ଼କ ଦୁର୍ଘଟଣାର ସଂଖ୍ୟା ସରକାରଙ୍କ ଚିନ୍ତା ବଢ଼ାଇଛି। ସଡ଼କ ଦୁର୍ଘଟଣାର ହାର କମାଇବାକୁ ସଡ଼କ ଓ ଯାନବାହନ ନିୟମକୁ ଆହୁରି କଡ଼ା କରିବା ପାଇଁ ପରିବହନ ବିଭାଗ ଯୋଜନା କରିଛି।

ଆଗକୁ ଲାଇସେନ୍ସ ପ୍ରଦାନ, ଗାଡ଼ିର ଫିଟ୍‌ନେସ୍ ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଖୋର୍ଦ୍ଧାରୁ ଚଣ୍ଡୀଖୋଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଖୁବଶୀଘ୍ର ଅଟୋମେଟିକ ସ୍ପିଡ୍ ରାଡ଼ାର ଲଗାଯିବ ବୋଲି ପରିବହନ କମିଶନର ସୂଚନା ଦେଇଛନ୍ତି।

ଗତକାଲିର ବସ୍‌ ଟ୍ରାଜେଡି ପୂର୍ବରୁ ୧୯୯୮ ମସିହାରେ ମଧ୍ୟ ଏକ ଯାତ୍ରୀବାହୀ ବସ୍ ସେହି ମହାନଦୀରେ ଖସି ଯିବାରୁ ୪୭ ଜଣଙ୍କ ଜୀବନ ଯାଇଥିଲା। ସେହିଭଳି ୨୦୧୬ରେ ଦେବଗଡ଼ର ଗଇଲୋ ଘାଟିରେ ବସ୍ ଓଲଟି ୨୭ ଓ ସେହିବର୍ଷ ଅନୁଗୁଳ ପୁରୁଣାମଣତ୍ରୀରେ ପୋଲ ତଳକୁ ବସ୍ ଖସି ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା।

(ଭୁବନେଶ୍ୱରରୁ ପଙ୍କଜ ସାହୁଙ୍କ ସହ ଅରିନ୍ଦମ ଦାସଙ୍କ ରିପୋର୍ଟ)

You might also like