ନିଷ୍ଠୁର କରିଦେଲା ସଂକ୍ରମଣ ଭୟ : ଅସୁସ୍ଥ ବୁଢ଼ୀ ମା’କୁ ମେଡିକାଲରେ ଛାଡ଼ି ପଳାଇଲେ ଦୁଇ ଝିଅ

  • ମହାମାରୀ ଡରରେ ନିଷ୍ଠୁର ହେଲେ ଆତ୍ମୀୟସ୍ୱଜନ
  • ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ହସ୍ପିଟାଲରେ ଛାଡ଼ି ପଳାଇଲେ 
  • ସହାୟତା ଦେବାକୁ ଆଗେଇ ଆସିଲେ ସ୍ଥାନୀୟ ସ୍ୱେଚ୍ଛାସେବୀ

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି) : ଦୁଇ ଝିଅ ଅଛନ୍ତି, ହେଲେ ସଂକ୍ରମଣ ସମୟରେ କିଏ କାହାର ? ମହାମାରୀ ଭୟ ଲୋକଙ୍କୁ ଯେତିକି ମାରୁନି, ମାନିବିକତାକୁ ଦିନକୁ ଦିନ ସେତିକି ଗ୍ରାସି ଚାଲିଛି । କରୋନା ନେଗେଟିଭ ରିପୋର୍ଟ ପାଇଲା ପରେ ମଧ୍ୟ କରୋନା ଆଶଙ୍କାରେ ବୃଦ୍ଧ ମହିଳାଙ୍କୁ ହସ୍ପିଟାଲରେ ଛାଡି ଦେଇଛନ୍ତି ପରିବାରବର୍ଗ ।  ଝିଅମାନେ ଆସି ଘରକୁ ନେଇଯିବେ ଆଶା ଏବେ ବି ରହିଛି । ହେଲେ ସେ ସ୍ୱପ୍ନ କେବେ ପୂରଣ ହେବ ଜଣାନାହିଁ । ଏକା ଏକା ହସ୍ପିଟାଲରେ ପଡ଼ି ରହିଛନ୍ତି ମହିଳା ।  ହେଲେ ତାଙ୍କର ଦେଖାଶୁଣା କରିବାକୁ ନାଁ ପରିବାର ଲୋକେ ନାଁ ଗ୍ରାମବାସୀ, କେହି ଆସୁନଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଟିଟିଲାଗଡ ବ୍ଲକ ଅଞ୍ଚଳରେ ।

ବଲାଙ୍ଗିର ଜିଲ୍ଲା ଖୋଲାଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସହାୟ ବୃଦ୍ଧା ପରିବାର ଲୋକଙ୍କୁ ଅପେକ୍ଷା କରିଛନ୍ତି । କେବେ ନିଜ ପରିବାର ବର୍ଗ କିମ୍ବା ଗାଁ ଲୋକେ ଆସିବେ, ଆଉ ତାଙ୍କୁ ମେଡିକାଲରୁ ଘରକୁ ନେଇଯିବେ । ହେଲେ ମେଡିକାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କ ଦେଖାଶୁଣା କରିବା ତ ଦୂରର କଥା ଥରୁଟିଏ ଦେଖା କରିବାକୁ ବି କେହି ଆସି ନାହାନ୍ତି । କରୋନା ସଂକ୍ରମଣ ସନ୍ଦେହ କରି ଆତ୍ମୀୟସ୍ୱଜନ କେହି ପାଖ ମାଡୁନାହାନ୍ତି । କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ଏବଂ ସ୍ୱାମୀର ମୃତ୍ୟୁ ପରେ ବୃଦ୍ଧା ଜଣଙ୍କ ଅସୁସ୍ଥ ହେବାରୁ ଗାଁ ଲୋକଙ୍କଠାରୁ ଫୋନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ ଆମ୍ବୁଲାନ୍ସରେ ଆଣି ଚିକିତ୍ସା କରାଯାଉଛି । ଅନ୍ୟପଟେ ବୃଦ୍ଧା ଜଣଙ୍କର ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ୍ ସତ୍ତ୍ୱେ ତାଙ୍କ ପାଖ ସମ୍ପର୍କୀୟ ମାଡୁ ନାହାନ୍ତି । ହେଲେ ସହୃଦୟତା ସ୍ଥାନୀୟ କିଛି ଲୋକେ ସହାୟତାର ହାତ ବଢାଇଛନ୍ତି ।

ହସ୍ପିଟାଲରେ ଭର୍ତ୍ତି ହୋଇ ପରିବାର ବର୍ଗଙ୍କୁ ଓ ଗ୍ରାମବାସୀଙ୍କୁ ଅପେକ୍ଷା କରିଥିବା ବୃଦ୍ଧା ଜଣକ ଟିଟିଲାଗଡ ବ୍ଲକ କାନିଜୁରୀ ଗାଁର କ୍ଷୀର ସାହୁ । ତାଙ୍କର ୨ ଝିଅ ଓ ୨ ଜ୍ୱାଇଁ ଅଛନ୍ତି । ହେଲେ ବୃଦ୍ଧାଙ୍କ ସ୍ୱାମୀଙ୍କ ମୃୃତ୍ୟୁ ପରେ ତାଙ୍କର କେହି ଯତ୍ନ ନେଉ ନଥିବା ଜଣାପଡିଛି  । ନିଜ ନିଜ ସଂସାରରେ ସମସ୍ତେ ବ୍ୟସ୍ତ । ମା’ କଥା ଚିନ୍ତା କରିବାକୁ କାହାର ଯେପରି ବେଳ ନାହିଁ । ଏପଟେ ଡାକ୍ତର କହିଛନ୍ତି ବୃଦ୍ଧାଙ୍କର କରୋନା ନେଗେଟିଭ ରିପୋର୍ଟ ଆସିଛି । ତେବେ ଏହି ଘଟଣା ନେଇ ବୃୃଦ୍ଧାଙ୍କ ସମ୍ପର୍କୀୟଙ୍କ ପ୍ରତିକ୍ରିୟା ମିଳିପାରିନି ।

You might also like