୩ ଡିଗ୍ରୀ ତଳକୁ ଖସିଲା ଦାରିଙ୍ଗବାଡ଼ିର ତାପମାତ୍ରା

ଭୁବନେଶ୍ୱର: ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଆଜି ରାଜ୍ୟର ୯ଟି ସ୍ଥାନର ସର୍ବନିମ୍ନ ତାପମାତ୍ର ୮ ଡିଗ୍ରୀ ତଳେ ରହିଛି।

ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରହିଥିବା ବେଳେ ଗତକାଲି ୩ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସେହିପରି ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୪.୮, ଟିଟିଲାଗଡ଼ରେ ୫, ସୋନପୁରରେ ୫.୮, ଅନୁଗୁଳରେ ୫.୬, ଭବାନୀପାଟଣାରେ ୬, କେନ୍ଦୁଝରରେ ୬.୬ ଓ ଝାରସୁଗୁଡ଼ାରେ ୬.୮ ଡିଗ୍ରୀ ରହିଛି।

ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ପରି ଭୁବନେଶ୍ୱର ଓ କଟକରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ଦୁଇ ସହରର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୯.୫ ଓ ୮.୮ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ଏ ଦୁଇ ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରହିଥିଲା।

ପ୍ରବଳ ଶୀତ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ମଧ୍ୟ ହୋଇଛି। ଗତକାଲି ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଆଜି  ସୁନ୍ଦରଗଡ଼ ଜିଲ୍ଲା ବଣାଇର କୋଇଡ଼ା ଓ ଟେନ୍‌ସାରେ ତୁଷାରପାତ ହୋଇଛି। ଆଜି ବି କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ତୁଷାରପାତ ହୋଇଛି।

You might also like