୧୪ ଯାଏଁ ଦାନଗହିର ସଟ୍‌ଡାଉନ୍‌, ବ୍ରହ୍ମବରଦା ସିଲ୍

ପୁରୀ,ଯାଜପୁର: ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଦାନଗହିର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ନେଇଛି। ପିପିଲି ବ୍ଲକର ଦାନଗହିର ସମେତ ୩ଟି ସ୍ଥାନକୁ ୧୪ଯାଏଁ ସଟ୍‌ଡାଉନ ଘୋଷଣା କଲେ ଜିଲ୍ଲାପାଳ। ଦାନଗହିର ଛକ, ଜୟପୁର ଛକ ଓ ଜୟପୁର ଶାସନ ଛକ ଅଞ୍ଚଳକୁ କଣ୍ଟେଣ୍ଟମେଣ୍ଟ୍ ଜୋନ୍ ଘୋଷଣା କରାଯିବା ସହ ଏହି ୩ଟି ଅଞ୍ଚଳକୁ ଆଜି ସକାଳ ୭ଟାରୁ ୧୪ ତାରିଖ ମଧ୍ୟରାତ୍ର ଯାଏ ସଟ୍ ଡାଉନ୍ ଘୋଷଣା କରାଯାଇଛି।

ଏହି କଣ୍ଟେନ୍‌ମେଣ୍ଟ ଜୋନ୍ ବା ଆବଦ୍ଧ ଅଞ୍ଚଳକୁ କୌଣସି ବାହାର ବ୍ୟକ୍ତିଙ୍କୁ ପ୍ରବେଶ ମନା ହୋଇଥିବାବେଳେ ସେଠାକାର ବାସିନ୍ଦାଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଆବଦ୍ଧ ଅଞ୍ଚଳରେ ଥିବା ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି  ଆବଦ୍ଧ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି।

ସେହିପରି ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବ୍ରହ୍ମବରଦା ଅଞ୍ଚଳକୁ ସିଲ୍ କରିଛି ପ୍ରଶାସନ। ଜଣଙ୍କର କରୋନା ନମୁନା ପଜିଟିଭ୍ ପରେ ବ୍ରହ୍ମବରଦାର ୩ କିମି ପରିଧି ଭିତରେ ଚଳାଚଳ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।  ସେପଟେ ସଂକ୍ରମିତ ବ୍ୟକ୍ତିଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି  ନିଆଯାଇଛି।

ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ। ୧୪ ଦିନ ଭିତରେ ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ଜଣାନ୍ତୁ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାଶ କହିଛନ୍ତି। ଗତକାଲି ଗୋଟିଏ ଦିନରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି।

You might also like