ଦଣ୍ଡନାଚରେ ୨୫ ଜଣଙ୍କୁ ଅନୁମତି

ବ୍ରହ୍ମପୁର: ଦଣ୍ଡ ନାଚ ନେଇ କଟକଣା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। ଦଣ୍ଡ ନାଚରେ କେବଳ ୨୫ ଜଣଙ୍କୁ ଅନୁମତି ମିଳିବ। ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମନା କରିଛି ଜିଲ୍ଲା ପ୍ରଶାସନ। ମା ତାରାତାରିଣୀ ପୀଠରେ ମୁଣ୍ଡନ ବାରଣ କରାଯାଇଛି।
ଦୋକାନୀଙ୍କୁ ପଞ୍ଚସୂତ୍ରୀ ଗାଇଡଲାଇନ ମାନିବାକୁ ଚ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ।

ଗଞ୍ଜାମ ଜିଲ୍ଲାପାଳଙ୍କ କହିବାନୁସାରେ, ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବର୍ତ୍ତମାନ ଭଲ ସ୍ଥିତିରେ ଅଛି। ସବୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ତଳେ ରହୁଥିବା ବେଳେ ଗତକାଲି ୧୩ ଜଣଙ୍କ ପଜିଟିଭ ରିପୋର୍ଟ ଆସିଥିଲା। ଯେହେତୁ ଗଞ୍ଜାମରେ ଜନସଂଖ୍ୟା ଅଧିକ ଓ ୟାତାୟାତ ରହୁଛି, ସେଥିପାଇଁ ପ୍ରତିଷେଧମୂଳକ ଭାବେ ଦଣ୍ଡନାଚ କାର୍ଯ୍ୟକ୍ରମରେ କଟକଣା ଜାରି କରାଯାଇଛି। ଏହାଦ୍ୱାରା ଲୋକ ସଚେତନ ହେବେ ଓ ସଂକ୍ରମଣ ବ୍ୟାପିବ ନାହିଁ।

ମାର୍ଚ୍ଚ ୯ରେ ଜାରି ହୋଇଥିବା ନିୟମ: କୋଭିଡ୍ ଗାଇଡ଼ଲାଇନ୍ ଅନୁଯାୟୀ କେବଳ ଦଣ୍ଡୁଆଙ୍କ ଦଣ୍ଡନାଚ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା । ତାପୁଣି ୨ଶହ ଲୋକଙ୍କୁ ନେଇ, ତାଠୁ ଯଦି ଅଧିକ ହୁଅନ୍ତି, ତେବେ ଆୟୋଜକ ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ସେହିପରି କୌଣସି ଭୋଜିଭାତ କିମ୍ବା ପ୍ରସାଦ ସେବନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସେହିପରି ସାଂସ୍କୃତିକ କର୍ଯ୍ୟକ୍ରମ ଆଦୌ ହୋଇପାରିବ ନାହିଁ। ଦଣ୍ଡନାଚ ପାଇଁ ସ୍ଥାନୀୟ ତହସିଲଦାରଙ୍କଠାରୁ ଅନୁମତି ବାଧ୍ୟତାମୂଳକ। କେବଳ ଦଣ୍ଡନାଚ ନୁହେଁ, ଶିବରାତ୍ରୀକୁ ଦୃଷ୍ଟିରେ ରଖି ଜାଗର ଯାତ୍ରା ପାଇଁ ମଧ୍ୟ କଟକଣା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ମାସ୍କ ନଥିଲେ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କୁ ଶିବାଳୟ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସାଧାରଣଙ୍କ ପାଇଁ ଭଜନ ସମାରୋହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଶିବ ମନ୍ଦିର ପରିସରରେ ଭୋଗ ବଣ୍ଟନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବନି ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ।

ମାର୍ଚ୍ଚ ୧୫ରେ ଜାରି ହୋଇଥିବା ନିୟମ: ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିଲା। ପୂର୍ବରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ନିର୍ଦ୍ଦେଶାନାମାରେ ସାମାନ୍ୟ ପରିବର୍ତ୍ତନ କରି କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଥିଲା।  କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା।

ରାଜ୍ୟ ବାହାର କିମ୍ବା ପ୍ରବାସୀ  କାଳାକାଳଙ୍କୁ ସମ୍ପୂର୍ଣ୍ଣ ରୂପେ ମନାକରାଯାଇଥିଲା। ଓଡ଼ିଆ ମେଲୋଡି କିମ୍ବା ଗ୍ରୁପ୍ ଡାନ୍ସ ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଥିଲା । ଅବଶ୍ୟ ବହିର ଆବଶ୍ୟକତା ନେଇ ନାଟକ ଭିତରେ କିଛି ନାଚ ହୋଇପାରିବ ବୋଲି କୁହାଯାଇଥିଲା । ସେହିପରି  ନାଟକ ପ୍ରାରମ୍ଭରେ ଓ ମଝିରେ ମଝିରେ କରୋନା ସଚେତନତା ଦୃଶ୍ୟ ପରିବେଷଣ କରିବାକୁ ପରାମର୍ଶ ଦିଆଯାଇଥିଲା।

 

You might also like