ଶୀତ ବଢିବା ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନର ଋତୁ

ରାମିଆଳ ଦଣ୍ଡାଧାର ଡ୍ୟାମରେ ପର୍ଯ୍ୟଟକଙ୍କ ଭିଡ଼

ଢେଙ୍କାନାଳ : ଦୁଇଟି ପାହାଡ଼ ମଝିରେ ବିସ୍ତୀର୍ଣ୍ଣ  ନୀଳ ଜଳରାଶି। ଶୀତୁଆ ସକାଳରେ ଏଠାକର ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀଙ୍କୁ କରିଥାଏ ଆକର୍ଷିତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରୁ କଙ୍କଡ଼ାହାଡ଼ ଯିବା ରାସ୍ତାରେ ପଡେ ରାମିଆଳ ଦଣ୍ଡାଧାର ଡ୍ୟାମ। ପର୍ଯ୍ୟଟନର ଋତୁରେ ଏଠାକୁ ଲୋକଙ୍କ ସୁଅ ଛୁଟିଥାଏ।

ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସାଙ୍ଗକୁ ଘର ଲୋକଙ୍କ ସାଙ୍ଗରେ ବଣଭୋଜି କରି ସମୟ ଅତିବାହିତ କରିଥାନ୍ତି ଲୋକେ। ଏହାକୁ ଓଡ଼ିଶା ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଥିଲେ ବି ଏହାର ଉନ୍ନତି କରଣ ହୋଇନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଶୀତ  ଦିନରେ ଏଠାରେ ଜିଲ୍ଲା ତଥା ବାହାର ଜିଲ୍ଲାର ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏହାକୁ ନଜରରରେ ରଖି ପାନୀୟ ଜଳ, ପାର୍କ, ପକ୍କା ରାସ୍ତା ନିର୍ମାଣ କଲେ ଅଧିକ ପର୍ଯ୍ୟଟକ ଏଥିପ୍ରତି ଆକର୍ଷିତ ହୋଇପାରନ୍ତେ। ଏ ନେଇ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ପଚାରିବାରୁ ଆଗାମୀ  ଦିନରେ ଡ୍ୟାମ୍‌ରେ ବୋଟିଂ ସାଙ୍ଗକୁ ପର୍ଯ୍ୟଟକଙ୍କ ରହଣି ଲାଗି ପିଣ୍ଡି ନିର୍ମାଣ ଲାଗି ପ୍ରସ୍ତାବ ରହିଥିବା କହିଛନ୍ତି।

ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ସରକାର ଅନେକ ଯୋଜନା ହାତକୁ ନେଉଛନ୍ତି। ଏହି କ୍ରମରେ ଢେଙ୍କାନାଳ ଜିଲ୍ଲାର ରାମିଅଳ ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ସରକାରଙ୍କ ଦୃଷ୍ଟି କେବେ ପଡୁଛି ତାକୁ ଅପେକ୍ଷା।

You might also like