ପଦ୍ମ ଧରିଲେ ଦାମ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କେଭି ସିଂଦେଓଙ୍କ ଉପସ୍ଥିତିରେ ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି।

ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଓଡ଼ିଶା ସଠିକ୍ ଦିଗରେ ଆଗେଇ ପାରିବ। ମୁଁ ଦଳରେ ଜଣେ କର୍ମୀ ଭାବେ କାର୍ଯ୍ୟ କରିବି।”

ସେ ଆହୁରି କହିଛନ୍ତି,“ଅନେକ ମାନସିକ ତର୍ଜମା ପରେ ମୁଁ ବିଜେପିରେ ଯୋଗଦେଇଛି। ୩୫ ବର୍ଷ ହେଲା ମୁଁ ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। ସରକାରଙ୍କ ବିଭିନ୍ନ ୨୦ଟି ବିଭାଗରେ ମନ୍ତ୍ରୀ ରହିଛି। ମୁଁ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଆସିଛି। ୨୦ ବର୍ଷ କାଳ ମୁଁ ବିଜୁ ବାବୁଙ୍କ ସହଯୋଗୀ ରହିଛି। ନବୀନ ପଟ୍ଟନାୟକଙ୍କ ପ୍ରକୃତି ବିଜୁ ବାବୁଙ୍କ ଠିକ ବିପରୀତ। ସେ ଓଡ଼ିଶା ଲୋକଙ୍କୁ ଭଲ ପାଆନ୍ତି ନାହିଁ। ଓଡ଼ିଆ କୁହନ୍ତି ନାହିଁ। ନବୀନ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି, ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଅନ୍ତି।”

ଆଜି ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦାମଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓ ଓ ସାଂସଦ ଅନୁରାଗ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହା ପରେ ଦାମୋଦର ରାଉତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଯାଇ ସାକ୍ଷାତ କରିଥିଲେ।

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ବିଜେପିରେ ଦାମୋଦରଙ୍କ ଯୋଗଦାନକୁ ସ୍ୱାଗତ କରିଛନ୍ତି।

ବିଜେପିରେ ଡାକ୍ତର ଦାମୋଦର ରାଉତ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, “ଦାମୋଦର ରାଉତ, ବିଜୁ ବାବୁଙ୍କ ଆଦର୍ଶରେ ଚାଲୁଥିବା ବରିଷ୍ଠ ନେତା। ସେ ଆଦିବାସୀ ଓ ପଛୁଆ ବର୍ଗଙ୍କ ଜଣେ ସହାନୁଭୂତିଶୀଳ ନେତା।”

ଦାମଙ୍କ ଯୋଗଦାନକୁ ଟ୍ୱିଟ୍‌ କରି ସ୍ୱାଗତ କରିଛନ୍ତି ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, “‘ଆପଣ ବିଜୁ ଅଙ୍କଲଙ୍କ ସହ କାମ କରିଛନ୍ତି, ବିଜୁ ଅଙ୍କଲ ଓ ତାଙ୍କ ପୁଅଙ୍କ କ୍ୟାବିନେଟରେ ଅନେକ ବର୍ଷ ଥିଲେ। ଶୀର୍ଷସ୍ତରରେ ଦୁର୍ନୀତି ଅଭିଯୋଗ କରିବାରୁ ବିଜେଡିରୁ ବହିଷ୍କୃତ ହେଲେ। ଓଡ଼ିଶାର ପୁନରୁଦ୍ଧାର ପାଇଁ ମିଶି କାମ କରିବା।”

ତେବେ ଦାମଙ୍କ ବିଜେପିରେ ଯୋଗଦାନକୁ ସହଜରେ ଗ୍ରହଣ କରିନାହିଁ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ଦାମ ରାଉତ ଏକଦା ମହିଳା ବିରୋଧୀ ଓ ଜାତିଆଣ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ତାଙ୍କୁ ମନ୍ତ୍ରୀପଦରୁ ବିଦା ହେବାକୁ ପଡିଥିଲା। ସେତେବେଳେ ବିଜେପି ଦାମଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଥିଲା। ଆଜି ବିଜେପି ତାଙ୍କୁ କୋଳେଇ ନିଜ ନୈତିକତା ହରାଇଛି।”

କଂଗ୍ରେସ ମୁଖପାତ୍ର ବିଭୁ ତରାଇ କହିଛନ୍ତି, “ଦାମବାବୁ ତାଙ୍କ ନୀତିରେ ପରିବର୍ତ୍ତନ କରିଛନ୍ତି। ଅତୀତରେ ଅନ୍ୟମାନଙ୍କୁ ନୀତି ପରିବର୍ତ୍ତନ ନେଇ ତାଚ୍ଛଲ୍ୟ କରିଥିବା ଦାମ ଏବେ କ’ଣ କଲେ ?”

You might also like