ଦାମ- ବିଷ୍ଣୁ ପରେ ଆରମ୍ଭ ହେଲା ଦାମ-ସୂର୍ଯ୍ୟ କଳି

ଭୁବନେଶ୍ୱର: ଦାମ-ବିଷ୍ଣୁ କଳି ପରେ ଆରମ୍ଭ ହେଲା ଦାମ-ସୂର୍ଯ୍ୟ କଳି। ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ମୁହାଁମୁହିଁ ହୋଇଛନ୍ତି ଦୁଇ ପୋଖତ ନେତା। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ସୂର୍ଯ୍ୟ ପାତ୍ର କହିଛନ୍ତି, ଦାମଙ୍କର ଟିଟୋ ସହ ସଂପର୍କ ଅଛି, ଧରା ପଡ଼ିବେ। ଇଫ୍‌କୋକୁ ଭୟଭୀତ କରି ଦାମଙ୍କ ପୁଅ ପରିବହନ କାମ ହାତେଇଛନ୍ତି। ଦାମଙ୍କ ତୁଣ୍ଡରେ ବାଡ଼ବତା ନାହିଁ। ଅଙ୍ଗନବାଡ଼ି କର୍ମୀ ଓ ବ୍ରାହ୍ମଣ ସମାଜକୁ ଆକ୍ଷେପ କରୁଥିବାର ଅଭିଯୋଗ ଅଛି। ଜାତି କଥା କହି ଭେଦଭାବ ସୃଷ୍ଟି କରୁଥିଲେ। ଦାମ ବାବୁ ଦୋମୁହାଁ କଥା କହୁଛନ୍ତି। ଦୁର୍ନୀତି କଥା ଦାମ ବାବୁ ମନ୍ତ୍ରୀ ଥିବା ବେଳେ ଉଠାଇଲେନି କାହିଁକି।

ଅନ୍ୟପଟେ ଦାମ  କହିଛନ୍ତି ଯେ,  ସୂର୍ଯ୍ୟ ଜଣେ ନୀତିହୀନ, ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଲୋକ। ପଇସା ପାଇଁ ପୁଅର ବାପା ନାଁ ବି ବଦଳାଇ ଦେଇପାରନ୍ତି ବୋଲି ଦାମ କହିଛନ୍ତି।

ସେହିଭଳି ମଦ ଦୋକାନ ଲାଇସେନ୍ସ ପ୍ରଦାନ ପ୍ରସଙ୍ଗରେ ସମୀର ଦାଶଙ୍କ ମନ୍ତବ୍ୟର ଜବାବରେ ସେ କହିଛନ୍ତି- “ଟିକେଟ୍‌ ପାଇଁ କଳ୍ପତରୁଙ୍କୁ କେତେ ଟଙ୍କା ଦେଇଥିଲେ କୁହ।”

ସେ ଆହୁରି କହିଛନ୍ତି-“ଇଚ୍ଛାକୃତ ଭାବେ ଜାଣିକି ମୋତେ ଅବକାରୀ ବିଭାଗ ଦେଇଥିଲେ। କେହି ମଦ ପିଇ ମଲେ, ମୋତେ ଇସ୍ତଫା ଦେବାକୁ କୁହାଯିବ। ୩ ବର୍ଷ ମନ୍ତ୍ରୀ ରହିଲି, କିନ୍ତୁ ଜଣେ ବି କେହି ମଦ ପିଇ ମଲେନି।”

ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି ଦାମ। କହିଛନ୍ତି- “ବିଜୁ ବାବୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ଦେବାକୁ କହିଥିଲେ; ଏବେ ତାଙ୍କ ପୁଅ ନବୀନ ଦୁର୍ନୀତିକୁ ନୀତି କରିବାକୁ କହୁଛନ୍ତି।”

You might also like