ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ ‘ଦାମୋଦର’ ମେଳା ଆରମ୍ଭ

ପିତୃପୁରୁଷଙ୍କୁ ହାଣ୍ଡିଆ ମହୁଲି ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କଲେ ସାନ୍ତାଳୀ ସମ୍ପ୍ରଦାୟର ଲୋକ

କରଞ୍ଜିଆ ( ଦୀପକ ମହାନ୍ତ) : କଟକଣା ଭିତରେ ଆରମ୍ଭ ହୋଇଛି ଆଦିବାସୀ ସମ୍ପ୍ରଦାୟର ନିଆରା ପରମ୍ପରା ‘ଦାମୋଦର’ ମେଳା । ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ଼ ଉପଖଣ୍ଡ ନିକଟରେ ଏହି ମେଳା ଅନୁଷ୍ଠିତ ହୋଇଛି । ଏଥିପାଇଁ ଚଳଚଞ୍ଚଳ ଆଦିବାସୀ ସାନ୍ତାଳ ପରିବାର । ସାନ୍ତାଳୀ ଜାତିର ପରମ୍ପରା ଅନୁଯାୟୀ, ମକର ସଂକ୍ରାନ୍ତିର ପାଞ୍ଚ ଦିନ ପରେ ପୂର୍ବପୁରୁଷଙ୍କ ସମୂହ ଅସ୍ଥି ବିସର୍ଜନ କରାଯାଏ , ଯାହାକୁ ଏହି ସମ୍ପ୍ରଦାୟର ଲୋକେ ଦାମୋଦର ଯାତ୍ରା ବୋଲି କହନ୍ତି । ଏହି ଯାତ୍ରାରେ ନିଜ ନିଜ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ସହିତ ନଦୀ ପଠାରେ ପୂଜାର୍ଚ୍ଚନା କରନ୍ତି  । ହାଣ୍ଡିଆ ମହୁଲି ଅର୍ପଣ କରି ପିତୃପୁରୁଷଙ୍କ ଅମର ଆତ୍ମାର ସଦଗତି କାମନା କରିଥାନ୍ତି ।

ଦାମୋଦର ମେଳା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଛୁଟି ଆସିଛନ୍ତି । ପରମ୍ପରା ଅନୁଯାୟୀ ବର୍ଷ ସାରା ଏହି ସମ୍ପ୍ରଦାୟର ଲୋକଙ୍କ ବଂଶରେ ଯିଏ ଯେବେ ବି ମୃତ୍ୟୁ ବରଣ କରିଥିଲେ ବି ଏହି ଦିନରେ ସମୂହ ଅସ୍ଥି ବିସର୍ଜନ କରାଯାଏ । ହଜାର ହଜାର ଲୋକଙ୍କ ସମାଗମ ଭିତରେ ନଦୀ କୂଳରେ ଚାଲେ ସମୁହ ଅସ୍ଥି ବିସର୍ଜନ।

ଅସ୍ଥି ବିସର୍ଜନ ସହ ନଦୀ ପଠାରେ ଆଦିବାସୀଙ୍କ ପାରମ୍ପରିକ ନାଚଗୀତର ଆୟୋଜନ ହୋଇଥାଏ । ହିନ୍ଦୁ ସମ୍ପ୍ରଦାୟର ଲୋକେ ଗଙ୍ଗା କି ତ୍ରିବେଣୀରେ ନିଜ ପୂର୍ବପୁରୁଷଙ୍କ ଅସ୍ଥି ବିସର୍ଜନ କରୁଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଯେ ବୈତରଣୀ ନଦୀପଠାରେ ଅସ୍ଥି ବିସର୍ଜନ କରନ୍ତି । ଆଉ ଏହାକୁ ଗଙ୍ଗା ବୋଲି ଭାବନ୍ତି। ଦାମୋଦର ମେଳାରେ ଲୋକଙ୍କ ଭିଡକୁ ଆଖି ଆଗରେ ରଖି ଶାନ୍ତିଶୃଙ୍ଖଳା ପାଇଁ ମେଳା ଆୟୋଜକ କମିଟି, ପୋଲିସ  ଓ ଅଗ୍ନିଶମ  ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

You might also like