ମାନିଲେନି କଟକଣା: ସିଲ ହେଲା ସହରର ଏହିସବୁ ହାଟ, ମାର୍କେଟ କମ୍ପ୍ଲେକ୍ସ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଲାଣି କରୋନ ସ୍ଥିତି। ଟ୍ୱିନ୍‌ ସିଟିରେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ମଧ୍ୟ ସୃଷ୍ଟିହୋଇଛି। ଏପରି ସ୍ଥିତିରେ ବି ଲୋକେ ସଚେତନ ହେଉ ନାହାନ୍ତି। ହାଟ ବଜାରରେ ଭିଡ କମୁନି। ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଲୋକେ ଗୁରୁତ୍ୱ ଦେଉ ନାହାନ୍ତି। ଏପରି ସ୍ଥିତିରେ  କୋଭିଡ୍ କଟକଣା ଉଲ୍ଲଂଘନ ହେବାରୁ ଭୁବନେଶ୍ୱର ଡମଣା ହାଟ, ଇନ୍ଦ୍ରଧନୁ ମାର୍କେଟ ସିଲ୍ କରିଛି ବିଏମ୍‌ସି।

ଆସନ୍ତା ୪୮ ଘଣ୍ଟା ଯାଏ ବିଏମ୍‌ସି ପକ୍ଷରୁ ଏହି କଟକଣା ଲଗାଯାଇଛି । ଗତକାଲି ଭୁବନେଶ୍ୱର ମହାନଗର ନଗମର ଏକ ଟିମ୍ ଡମଣା ହାଟ୍ ପରିଦର୍ଶନ କରିବା ସହ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ପାଇଥିଲେ। ହାଟ ସାରା ବୁଲି ସ୍ଥିତି ସମୀକ୍ଷା ପରେ ବିଏମ୍‌ସି ୪୮ ଘଣ୍ଟା ପାଇଁ ହାଟକୁ ସିଲ୍ କରିବା ସହ ଲୋକଙ୍କୁ ସାମାଜିକ ଦୂରତା ଓ କୋଭିଡ୍ କଟକଣା ନିୟମକୁ ପାଳନ କରିବାକୁ କୁହାଯାଇଛି ।

ଦୋକାନୀମାନଙ୍କୁ ମଧ୍ୟ ବିଏମସି ଟିମ୍ ତାଗିଦ କରିବା ସହ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।  ସେହିଭଳି ଭୁବନେଶ୍ୱର ବିିଭିନ୍ନ ସ୍ଥାନରେ ବିଏମସି ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସବୁକୁ ସିଲ୍ କରୁଥିବାର ଦେଖିବାକୁ ମିଳିଛି।  ସହିଦ ନଗର ସ୍ଥିତ ରିଲାଏନ୍ସ ଟ୍ରେଣ୍ଡରେ କୋଭିଡ୍ କଟକଣା ନିୟମର ଉଲ୍ଲଂଘନ ହେଉ ଥିବାରୁ ତାକୁ ମଧ୍ୟ ଆଗାମୀ ୭ ଦିନ ପାଇଁ ସିଲ୍ କରାଯାଇଛି।
 ସେହିପରି ଇନ୍ଦ୍ରଧନୁ ମାର୍କେଟକୁ ମଧ୍ୟ ୨୪ ଘଣ୍ଟା ପାଇଁ ସିଲ୍ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଉଥିବାରୁ BMC ପକ୍ଷରୁ ଏପରି ପଦକ୍ଷେପ  ନିଆଯାଇଛି । ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ ରହିଛି। ଏଣୁ ୩ ଦିନ ଯାଏଁ ଇନ୍ଦ୍ରଧନୁ ମାର୍କେଟ ବନ୍ଦ ରହିବ ।

ସୂଚନାଥାଉ କି, ଏହା ପୂର୍ବରୁ ଅର୍ଥାତ୍‌ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂକୁ ବନ୍ଦ କରି ଦିଆଯାଇଥିଲା। ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ବଜାୟ ରଖୁନଥିବା ଏବଂ ଗହଳି ଲାଗୁଥିବା ଆଦି କାରଣ ପାଇଁ DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ୪୮ ଘଣ୍ଟା ପାଇଁ  ଏହାକୁ ସିଲ୍ କରାଯାଇଛି।  ଶନିବାର ଓ ରବିବାର ସଟଡାଉନ ରହିବା ପରେ ସୋମବାରଠାରୁ ମାର୍କେଟ ବିଲ୍ଡିଂ ଖୋଲାଯିବ ବୋଲି କୁହାଯାଉଛି।

ସେହିପରି ଭୁବନେଶ୍ୱର କୋର୍ଟ ଜୁଡିସିଆଲ କଂପ୍ଲେକ୍ସକୁ  ୭ ଦିନ ପାଇଁ ସିଲ୍ କରାଯାଇଛି । ଏପ୍ରିଲ ୨୯ ତାରଖରୁ ମେ’ ୫ ତାରିଖ ପର୍ଯ୍ୟନ୍ତ  ୭ ଦିନ ପାଇଁ କୋର୍ଟ ସିଲ୍ କରାଯାଇଛି। ଏଠାରୁ ମଧ୍ୟ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ।

You might also like